Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଣେ ଶିକ୍ଷକ ରେ ଚାଲିଛି ଗୋପନଗର ପ୍ରାଥମିକ ବିଦ୍ୟାଳୟ,

ବେଲଗୁଣ୍ଠା, 01/08, ଗୁଣାତ୍ମକ ଶିକ୍ଷା ନାମରେ ସରକାର ଡିଣ୍ଡିମ ପିଟିବା ସହ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ନ ସଜାଡ଼ି ପ୍ରାଥମିକ ଶିକ୍ଷାର ଅଧୋଗତି ପାଇଁ ସାଧରଣତଃ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଦୋଷ ଲଦିଥାନ୍ତି I ଏହିଭଳି ଚିତ୍ର ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଦେଖାଯାଇଛି I ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇବା ପାଇଁ ନା ଅଛନ୍ତି ଆବଶ୍ୟକ ଶିକ୍ଷକ, ନା ପିଲାଙ୍କ ବସିବା ପାଇଁ ଅଛି ଆବଶ୍ୟକ କୋଠରୀ I ଏକ ବିପଦଜ୍ଜନକ କୋଠା ମଧ୍ୟରେ ବିଦ୍ୟାଳୟର ଆସବାବ ପତ୍ର ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଭର୍ତ୍ତି I ଶିକ୍ଷାର ଏମିତି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତର ଗୋପନଗର ପ୍ରାଥମିକ ବିଦ୍ୟାଳୟରେ I ବିଦ୍ୟାଳୟଟି ଉପରେ ନିର୍ଭର କରନ୍ତି ସ୍ଥାନୀୟ ଗୋପନଗର,ଚଢିଆପଲ୍ଲୀ,ପିତେଇଝୋଳା ଏବଂ ହିରାସିଂଗପଲ୍ଲୀ ଭଳି ଛୋଟ ଛୋଟ ଗ୍ରାମର ଛାତ୍ରଛାତ୍ରୀ I ଗୋପନଗର ଏବଂ ଚଢିଆପଲ୍ଲୀ ଗ୍ରାମ ଦୁଇଟି ବିଦ୍ୟାଳୟ ନିକଟରେ ରହିଥିଲେ ମଧ୍ୟ ପିତେଇଝୋଳା ଏବଂ ହିରାସିଂଗପଲ୍ଲୀ ଗ୍ରାମ ଦୁଇଟି ବିଦ୍ୟାଳୟ ଠାରୁ ଏକ କିଲୋମିଟର ଦୂରରେ ଅଛି I ଏହି ଗ୍ରାମ ଗୁଡ଼ିକରୁ ଆସୁଥିବା ପିଲାମାନେ ସାଧରଣତଃ ହରିଜନ, ଆଦିବାସୀ ଏବଂ ଗରୀବ କୃଷକ ଶ୍ରେଣୀର I ଏହି ବିଦ୍ୟାଳୟରେ ଦଶ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ଗୋତିଏ କୋଠରୀରେ ବସି ପାଠ ପଢୁଛନ୍ତି I କୋଠରୀଟି ପୁଣି ଜରାଜୀର୍ଣ୍ଣ ଅବସ୍ଥାରେ I ବର୍ଷା ହେଲେ ଶ୍ରେଣୀ କୋଠରୀର ଛାତରୁ ପାଣି ଗଳି ବିଦ୍ୟାଳୟର କାଗଜପତ୍ର ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ପର୍ଯ୍ୟନ୍ତ ସମସ୍ତେ ଭିଜନ୍ତି Iସେହି ଗୋଟିଏ କୋଠରୀ ଭିତରେ ବିଦ୍ୟଳୟର ସମସ୍ତ ଆସବାବପତ୍ର, ଟେବୁଲ୍,ଚୌକି, ମାଧ୍ୟାହ୍ନ ଭୋଜନ ବାସନକୁସନ, ଗ୍ୟାସ୍ ଚୁଲା, ସିଲିଣ୍ଡର୍ ସହିତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ତିରିଶିରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅତି ଦୟନୀୟ ଅବସ୍ଥାରେ ବସି ପାଠ ପଢନ୍ତି I ଗୋଟିଏ଼ କଳାପଟାରେ ପାଞ୍ଚୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କେଉଁ ଭଳି ଭାବରେ ଶିକ୍ଷାଦାନ କରାଯାଉଥିବ ତାହା ସହଜରେ ଅନୁମେୟ I ବିଦ୍ୟାଳୟରେ କେବଳ ଶ୍ରେଣୀ କୋଠରୀର ଅଭାବ ନୁହେଁ ବିଦ୍ୟାଳୟରେ ଶିକ୍ଷକ ନାହାଁନ୍ତି କହିଲେ କିଛି ଅତୁକ୍ତି ହେବ ନାହିଁ I ଗତ 2021 ମସିହାରେ ଏଠାରେ ଦୁଇଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ I ସେହିବର୍ଷ ଶିକ୍ଷକ ଖଲି ବେହେରା ଅବସର ଗ୍ରହଣ କରିଥିବା ବେଳେ ଶିକ୍ଷକ ବିଷ୍ଣୁପ୍ରସାଦ ବେହେରା ପଦୋନ୍ନତି ପାଇ ଅନ୍ୟ ବିଦ୍ୟାଳୟକୁ ଚାଲିଯାଇଥିଲେ I ବିଦ୍ୟାଳୟଟି ଶିକ୍ଷକ ଶୂନ୍ୟ ହୋଇଯିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଠାରୁ ପନ୍ଦର କିଲୋମିଟର ଦୂର ଖାରୀଗୁଡ଼ା ବିଦ୍ୟାଳୟରୁ ଶିକ୍ଷକ ଶୀତଳ ପ୍ରସାଦ ଜେନାଙ୍କୁ ଏଠାକୁ ଡେପୁଟେସନ୍ ରେ ପଠାଯାଇଥିଲା I ପରେ ପରେ ସୋରଡ଼ା ବ୍ଳକ୍ ରୁ ବିନାୟକ ବେହେରା ନାମକ ଜଣେ ଶିକ୍ଷକ ଏଠାକୁ ଟ୍ରାନ୍ସଫର୍ ହୋଇ ଆସିଥିଲେ I କିନ୍ତୁ ଶିକ୍ଷକ ବିନାୟକ ବେହେରା ଜାଲ୍ ସାର୍ଟିଫିକେଟ୍ ରେ ଚାକିରୀ କରିଥିବା ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଲାପରେ ସେ ଗତ ଅଗଷ୍ଟ ମାସରୁ କେଉଁଆଡେ ଫେରାର ଅଛନ୍ତି I ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ଏକ ବର୍ଷ ଧରି ବିଦ୍ୟାଳୟଟିରେ ଏଠାକୁ ଡେପୁଟେସନ୍ ରେ ଆସିଥିବା ଶିକ୍ଷକ ଶୀତଳ ପ୍ରସାଦ ଜେନା ଏକାକୀ ଦାୟିତ୍ୱ ତୁଲାଇ ଆସୁଛନ୍ତି I ଦୀର୍ଘ ଏକ ବର୍ଷ ଧରି ଶିକ୍ଷକ ଶ୍ରୀ ଜେନା ଏକୁଟିଆ ବିଦ୍ୟାଳୟ ଚଳାଇ ଆସୁଥିଲେ ମଧ୍ୟ ସ୍ଥାନୀୟ ଶିକ୍ଷା ପ୍ରଶାସନ ସବୁ ଜାଣି ଚୁପ୍ ରହିଛି I ଦୀର୍ଘ ଏକ ବର୍ଷ ହେବ ଶିକ୍ଷକ ଶ୍ରୀ ଜେନା ନିଜର ସମସ୍ତ ବ୍ୟକ୍ତିଗତ ଅସୁବିଧାକୁ ଭୂଲି ଯାଇଛନ୍ତି କହିଳେ ଠିକ୍ ହେବ I ସେହିପରି ବିଦ୍ୟାଳୟ ମିଶ୍ରଣ ନାମରେ ବିଦ୍ୟାଳୟଟିର ସମସ୍ତ ପ୍ରକାର ଅନୁଦାନ ଏକ ପ୍ରକାର ବନ୍ଦ କରିଦିଆଯାଇଛି I ପ୍ରକାଶ ଥାଉକି ଗତ 2020 ମସିହାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗୋପନଗର ବିଦ୍ୟାଳୟଟିକୁ ଏଠାରୁ ଦେଢକିଲୋମିଟର ଦୂର କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟ ସହ ମିଶାଇ ଦେବା ପାଇଁ ଚିଠି କରାଯାଇଥିଲା I କିନ୍ତୁ ଗ୍ରାମବାସୀଙ୍କ ତୀବ୍ର ପ୍ରତିବାଦ ଏବଂ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟ ମିଶ୍ରଣ ସ୍ଥଗିତ ରହିଥିଲେ ମଧ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦୁଃଖ ଏକ ପ୍ରକାର ବଢ଼ିଯାଇଛି I ବିଦ୍ୟାଳୟକୁ କେବଳ ମଧ୍ୟାହ୍ନ ଭୋଜନ ଆସୁଥିବା ବେଳେ ଶିକ୍ଷା ବର୍ଷ ଶେଷରେ ପିଲାଙ୍କ ପାଇଁ ଆସୁଛି ପୋଷାକ ଅନୁଦାନ I ଏତଦ୍ ବ୍ୟତୀତ ଅନ୍ୟ କୌଣସି ଅନୁଦାନ ଦୀର୍ଘ ତିନି ବର୍ଷ ଧରି ବିଦ୍ୟାଳୟକୁ ଆସିନାହିଁ I ଅନୁଦାନ ଆସୁନଥିବାରୁ ପିଲାଙ୍କ ପାଇଁ ଚକ୍ ଖଣ୍ଡିଏ ମଧ୍ୟ ଏଠାରେ କାର୍ଯ୍ୟରତ ଶିକ୍ଷକ ଜଣଙ୍କ ନିଜ ହାତରୁ କିଣିଥାଆନ୍ତି I ଅନୁଦାନ ଆସୁନଥିବାରୁ ବିଦ୍ୟାଳୟର ବିଦ୍ୟୁତ୍ ବିଲ୍ ଦୀର୍ଘ ଦୁଇବର୍ଷ ଧରି ବକେୟା ପଡି଼ଛି I ଦୁଇ ବର୍ଷ ଧରି ଏହି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ତାଲିମ୍ ହୋଇନଥିବା ସ୍ଥାନୀୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି I ତେଣୁ ବିଦ୍ୟାଳୟରେ ଯଥାଶୀଘ୍ର ଶିକ୍ଷକ ନିଯୁ୍କ୍ତି, ଶ୍ରେଣୀଗୃହ ନିର୍ମାଣ, ନିୟମିତ ଅନୁଦାନ ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି, ଅନ୍ୟଥା ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ସୁଚନା ମିଳିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ