ସୁବଳୟା ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ସରସ୍ବତି ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁବଳୟା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ନିଜ ବକ୍ତବ୍ୟରେ ଏ ପି ଜେ ଅବଦୁଲ କାଲାମ ଙ୍କ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଅନ୍ତର୍ଯ୍ୟାମି ରଥ ବର୍ତ୍ତମାନ ଯୁଗରେ ବିଜ୍ଞାନର ଆବଶ୍ୟକତା ଉପରେ ଶିଶୁ ଭାଇ ଭଉଣୀମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବଳରାମ ପୂଜାହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ସହିତ ଶିଶୁ ଭାଇ ଭଉଣୀ ଙ୍କ ମନରେ ବୈଜ୍ଞାନିକ ମନୋଭାବ ଜାଗ୍ରତ ହେବାପାଇଁ ପ୍ରେରଣା ସୃଷ୍ଟି କରିଥିଲେ । ଏହି ଅବସରରେ ବିଦ୍ୟାଳର ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରିଥିଲେ । କମିରା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସଞ୍ଜିବ କୁମାର ତ୍ରିପାଠୀ ଓ ଡୁଲେଶ୍ବର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅମରେନ୍ଦ୍ର ଦେହେରୀ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଆଣିଥିବା ବିଜ୍ଞାନ ବିତ୍ତିକ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଚୟନ ହୋଇଥିବା ପ୍ରକଳ୍ପ ଗୁଡିକ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଏହି ଆବସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ମହାକୁର ବୃତ୍ତ କଥନ କରିଥିଲେ । ଉକ୍ତ ମେଳାରେ ବିଦ୍ୟାଳୟର ଶିଶୁ ବର୍ଗ , ବାଳ ବର୍ଗ ଓ କିଶୋର ବର୍ଗର ମୋଟ ୮୪ ଟି ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶେଷରେ ପରିଚାଳନା ସମିତିର ସମ୍ପାଦକ ଦିଲ୍ଲିପ କୁମାର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ସମସ୍ତ ଶିଶୁ ଭାଇ ଭଉଣୀ , ଗୁରୁଜୀ ଗୁରୁମା , ସେବକ ସେବିକା ପରିଚାଳନା ସମିତିର ସଦସ୍ୟ ଉପସ୍ଥିତ ଥିଲେ।