Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନାସ୍ଥା ପ୍ରସ୍ତାବ ଉପରେ ଆଜି ୪ଟାରେ ଉତ୍ତର ରଖିବେ ପିଏମ ମୋଦୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ସଂସଦରେ ଆଜି ହେଉଛି ତୃତୀୟ ଦିନ। ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ରଖିବା ସହ ବିରୋଧୀଙ୍କ ପ୍ରତ୍ୟେକ ପ୍ରଶ୍ନର ଜବାବ ଦେବେ। ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ସଂସଦରେ ନିଜର ବକ୍ତବ୍ୟ ରଖିବେ। ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ରଖିବା ପାଇଁ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ।

ଏହା ପୂର୍ବରୁ ଗତକାଲି ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜର ବକ୍ତବ୍ୟ ରଖିଛନ୍ତି। ନିଜ ଭାଷଣରେ ରାହୁଲ ଗାନ୍ଧୀ ମଣିପୁର ପ୍ରସଙ୍ଗରେ କେନ୍ଦ୍ରର ମୋଦୀ ସରକାର ଉପରେ ଖୁବ୍ ବର୍ଷିଛନ୍ତି। ମଣିପୁର ହିଂସାରେ ସରକାର ଭାରତ ମାତାର ହତ୍ୟା କରିଥିବା କହିଥିଲେ ରାହୁଲ। ନିଜ ରାଜନୀତି ନିହିତ ସ୍ଵାର୍ଥ ପାଇଁ କେନ୍ଦ୍ର ସରକାର ମଣିପୁରକୁ ଜାଳିବା ସହ ଦୁଇ ଭାଗରେ ବାଣ୍ଟିଥିବା କହିଥିଲେ। ଏହାର ଉତ୍ତର ମଧ୍ୟ ରଖିଥିଲେ ଗୃହ ମନ୍ତ୍ରୀ ଅମିତ ଶାହ।

ଅନ୍ୟପଟେ ଗୃହରେ ରାହୁଲ ଗାନ୍ଧୀ ଏନଡିଏ ମହିଳା ସାଂସଦଙ୍କୁ ଇସାରା କରି ଫ୍ଲାଇଂ କିସ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ନେଇ ଗତକାଲି ଗୃହରେ ଝଡ଼ ସୃଷ୍ଟି ହୋଇଥିଲା। ବିଜେପିର ଏକ ମହିଳା ସାଂସଦ ପ୍ରତିନିଧିମଣ୍ଡଳ ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଫେରାଦ ହୋଇ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ତେବେ ଏସବୁ ଭିତରେ ସ୍ପଷ୍ଟ ଯେ, ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଭୋଟିଂ ହେବ ନାହିଁ। କାରଣ ମୋଦୀ ସରକାର ପାଖରେ ଯଥେଷ୍ଟ ବହୁମତ ଏବଂ ସାଂସଦଙ୍କ ସମର୍ଥନ ରହିଛି। କେବଳ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ଯାହାକୁ ବାଚସ୍ପତି ଓମ ବିର୍ଲା ସ୍ଵୀକାର କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ