ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ କେଉଟିପାଲି ଫେରିଘାଟ ରାସ୍ତା ବର୍ତ୍ତମାନ ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ବହୁ ଲୋକ ଯିବା ଆସିବା କରିଥାନ୍ତି । ଏହା ବୀରମହାରାଜପୁର – ସୁବଳୟା ପୂର୍ତ୍ତ ବିଭାଗ ରାସ୍ତା ରୁ କେଉଟିପାଲି ଗ୍ରାମକୁ ସଂଯୋଗ କରିଥାଏ । ଉକ୍ତ ରାସ୍ତାଟି ଶୋଚନୀୟ ହୋଇଥିବାରୁ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅନେକ ସମୟରେ ଜରୁରୀକାଳୀନ ଡାକ୍ତରଖାନା , ଦମକଳ ଆଦି ଗାଡି ଯିବା ଆସିବା ରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ନଜର ରହିଛି। ମହାନଦୀ କୂଳରେ ଅବସ୍ଥିତ କେଉଟିପାଲି ଗ୍ରାମରେ ସରକାରୀ ବିଦ୍ୟାଳୟ , ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବା ବେଳେ ଗୋଟିଏ ୱାର୍ଡ ଲୋକ ସଂଖ୍ୟା ବିଶିଷ୍ଟ ଜନବସତି ରହିଛି l ଏହି ରାସ୍ତା ବହୁତ ଖାଲ,ଖମାରେ ଭର୍ତି ହୋଇ ଥିବାବେଳେ ବର୍ଷା ଦିନରେ କାଦୁଅ ପଚ ପଚ ହୋଇ ଯାଉଥିବାରୁ ଯିବାଆସିବା କରିବା ସମ୍ଭବ ନୂହେଁ I ବିଭିନ୍ନ ସମୟରେ ସରକାରୀ ସଚେତନତା ଗାଡ଼ି ଉକ୍ତ ଗ୍ରାମକୁ ଯାଉନଥିବା ଗ୍ରାମବାସୀ କହିଛନ୍ତି ଏବଂ ବିଭିନ୍ନ ସମୟରେ ସରକାରୀ ସହାୟତା ରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି । ଏହି ଫେରିଘାଟ ନିକଟରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ବହୁ ଦିନରୁ ଦାବି ହେଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଉକ୍ତ ରାସ୍ତା ଦେଇ ମହାନଦୀ ଅପର ପାର୍ଶ୍ବରେ ଥିବା ପଡୋଶି ଜିଲ୍ଲା ବୌଦ୍ଧ ର ବାଉଁଶୁଣି , ସାହାଜପାଲ , ତାଲେଶରଡା , ପଲଶପାଟ, କଙ୍କଳା , ଡମ୍ବୁରୁଗାଡ , ମାନେଶ୍ୱର , ତେନ୍ତୁଳିପାଲି ପ୍ରଭୁତି ଗ୍ରାମକୁ ନିତିଦିନ ଲୋକେ ଯିବା ଆସିବା କରିଥାନ୍ତି। ସ୍ଥାନୀୟ ଗ୍ରାମବାସୀ ମାନେ ଉକ୍ତ ରାସ୍ତା କୁ ଆଗରୁ ଅନେକ ଥର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସରକାରଙ୍କ ପକ୍ଷରୁ ରାସ୍ତା କାମ ପାଇଁ ୫ ଲକ୍ଷ ୯୮ ହଜାର ଟଙ୍କା ମଞ୍ଜୁର ହୋଇ ଥିବା ଜଣାପଡ଼ିଛି I ଏହା ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ରାସ୍ତାର କାମ ଆରମ୍ଭ ହୋଇ ନାହିଁ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହେଉଛି । ଏଣୁ ଲୋକଙ୍କ ଗମନାଗମନ ର ସୁବିଧା ପାଇଁ ଏ ରାସ୍ତା ପ୍ରତି ପ୍ରଶାସନିକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି I
କେଉଁଟିପାଲି ଫେରି ଘାଟ ରାସ୍ତା ମରଣ ଯନ୍ତା
