ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ସ୍ଵାମୀ ସ୍ତ୍ରୀ ଙ୍କ ଚାଲିଗଲା ଜୀବନ ; ମୃତକଙ୍କ ପରିବାରକୁ ପ୍ରଶାସନ ତରଫରୁ ସହାୟତା ଘୋଷଣା


ବୀରମହାରାଜପୁର : ବିଦ୍ୟୁତ ବିଭାଗର ଅବହେଳା ପାଇଁ ଉଜୁଡି ଗଲା ଗୋଟିଏ ପରିବାର । ୧୧ କେଭି କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂଷ୍ପର୍ଶରେ ଆସି ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୁର୍ମୁଷୁ ଅବସ୍ଥାରେ ଡାକ୍ତରଖାନା ଚିକିତ୍ସିତ ହେଉଥିବା ସ୍ତ୍ରୀ’ ର ମଧ୍ୟ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ସଦର ଗଣ୍ଡାବାହାଲ ଗ୍ରାମରେ ଗୁରୁବାର ଘଟିଯାଇଥିବା ଏହି ଘଟଣାକୁ ନେଇ ସମସ୍ତଙ୍କୁ ସ୍ତବ୍ଧ କରାଇ ଦେଇଛି । ସୂଚନା ଅନୁଯାୟୀ ଗଣ୍ଡାବାହାଲ ଗ୍ରାମରେ ଗତ ବର୍ଷ ଠାରୁ ରହି ଆସୁଥିବା ମରାଲୋଏ ଗ୍ରାମର ବାଲ୍ମିକ ପୁରୋହୀତ ଏବଂ ତାଙ୍କ ସ୍ତ୍ରୀ ସୁବାଷିନୀ ଘର ଛାତ ଉପରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ ସଂଷ୍ପର୍ଶରେ ଆସି ଯାଇଥିଲେ । ଘଟଣାସ୍ଥଳରେ ବାଲ୍ମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସୁବାଷିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଲୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ମାତ୍ର ଅବସ୍ଥା ଅଧିକ ସଙ୍କାଟାପନ୍ନ ଥିବାରୁ ପ୍ରଥମେ ବୁର୍ଲା ଓ ପରେ ରାୟପୁର ସ୍ଥିତ ଏକ ଡାକ୍ତରଖାନାରେ ଭର୍ତି କରାଯାଇ ଥିଲା l ହେଲେ ସୁଵାସିନୀ ଙ୍କର ରାୟପୁର ଡାକ୍ତରଖାନା ରେ ଗତ ରାତି ମୃତ୍ୟୁ ହୋଇଯାଇଛି । ସେପଟେ ମୃତ ବାଲ୍ମିକଙ୍କ ମୃତ ଦେହ ବ୍ୟବଚ୍ଛେଦ ହୋଇ ଶୁକ୍ରବାର ଗାଁକୁ ଆସିବା ପରେ ସାଧାରଣରେ ଉତ୍ତେଜନା ଦେଖା ଦେଇଥିଲା । ପରିବାର ଲୋକଙ୍କ ସହ ଗ୍ରାମବାସୀ ଏବଂ ଜନ ସାଧାରଣ କ୍ଷତିପୂରଣ ଦାବି କରି ଉଲୁଣ୍ଡା ବସଷ୍ଟାଣ୍ଡ ନିକଟରେ ଶବ ରଖି ରାସ୍ତା ଅବରୋଧ ପାଇଁ ପ୍ରସ୍ତୁତ ହୋଇଥିଲେ । ପ୍ରଶାସନୀକ ଅଧିକାରୀ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ମୃତକଙ୍କ ପରିବାର ବର୍ଗଙ୍କୁ ବୁଝାଶୁଝା କରିବା ସହ କ୍ଷତିପୂରଣ ପ୍ରଦାନ କରିବାକୁ ରାଜି ହେବାରୁ ରାସ୍ତା ଅବରୋଧ ହୋଇନଥିଲା । ଘଟଣାସ୍ଥଳରେ ଉଲୁଣ୍ଡା ତହସିଲଦାର ଦିଲ୍ଲିପ ମାଝୀ , ଅତିରିକ୍ତ ତହସିଲଦାର ସୋମନାଥ ବେହେରା , ବିଦ୍ୟୁତ ବିଭାଗର ଏସଡିଓ ସୁଶାନ୍ତ କୁମାର ବେହେରା ପୋଲିସ ପ୍ରଶାସନ ସହ ପହଂଚି ବୁଝାସୁଝା କରିଥିଲେ । ମୃତକଙ୍କ ପୁଅକୁ ଯୋଗ୍ୟତା ଭିତିରେ ବିଦ୍ୟୁତ ବିଭାଗରେ ଚାକିରି ପ୍ରଦାନ ସହ ୩ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ରାଜି ହୋଇଥିଲେ । ଏଥିସହ ଉକ୍ତ ୧୧ କେଭି ବିଦ୍ୟୁତ ତାରକୁ କେବୁଲ କରିବା ପାଇଁ ପ୍ରତିଶ୍ମୃତି ଦେଇଥିବା ଜଣାପଡିଛି । ଅନ୍ୟପଟେ ବିଦ୍ୟୁତ ବିଭାଗର ଏଭଳି ବେପରୁଆ ପରିଚାଳନା ଯୋଗୁଁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ୧୧ କେଭି ତାରକୁ କେବୁଲ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ଅଣଦେଖା କରାଯାଉଥିଲା । ଯେଉଁଥିପାଇଁ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।