Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଲି ପଡ଼ିଲା କଂଗ୍ରେସର ଆସନ, ସ୍ଵାଧୀନତା ଦିବସରେ ପହଞ୍ଚିଲେ ନାହିଁ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଭାଷଣ ଦେଇ ସାରିଛନ୍ତି। ଖାସ୍ କଥା ମଙ୍ଗଳବାର ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ସମାରୋହ ସ୍ଥଳରେ କଂଗ୍ରେସ ଅନୁପସ୍ଥିତ ରହିଥିଲା। ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସିଟ୍ ଖାଲି ଥିବା ଦେଖିବାକୁ ମିଳିଥିଲା। କୁହାଯାଉଛି ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନାହାନ୍ତି। ଏହାକୁ ନେଇ ଖଡ଼ଗେଙ୍କ ଉପରେ ନା ନା ପ୍ରଶ୍ନ ଉଠୁଛି।
ଏକ ମିଡିଆ ରିପୋର୍ଟ ଅନୁସାରେ, କଂଗ୍ରେସର କହିବା କଥା ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ ସମାରୋହରେ ଯୋଗ ଦେଇ ପାରି ନାହାନ୍ତି। ଏହା ମଧ୍ୟ କୁହାଯାଉଛି କଂଗ୍ରେସ ମୁଖ୍ୟାଳୟରେ ପତାକା ଉତ୍ତୋଳନ ଯୋଗୁଁ ସମାରୋହକୁ ଆସି ପାରି ନାହାନ୍ତି।

ଏହା ଉପରେ ଖଡ଼ଗେ କହିଛନ୍ତି, ପ୍ରଥମ କଥା ମୋର ଆଖି ସଂପର୍କିତ ସମସ୍ୟା ରହିଛି। ଦ୍ଵିତୀୟ କଥା ମୋତେ ନିଜ ବାସଭବନରେ ୯ଟା ୨୦ରେ ଏବଂ ପୁଣି କଂଗ୍ରେସ ମୁଖ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇବାର ଥିଲା। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ି ଯେ ପ୍ରଧାନମନ୍ତ୍ରୀ ନ ଯିବା ପର୍ଯ୍ୟନ୍ତ ସେଠାକୁ କାହାକୁ ଯିଆଯାଏ ନାହିଁ। ମୋତେ ଲାଗିଲା ମୁଁ ନିର୍ଦ୍ଧାରିତ ସମୟରେ ଲାଲକିଲ୍ଲା ପହଞ୍ଚି ପାରିବି ନାହିଁ। ସମୟକୁ ଦେଖି ଚିନ୍ତା କଲି ସେଠାକୁ ନ ଯିବା ହିଁ ଉଚିତ୍ ହେବ।
ଖଡ଼ଗେ ଏକ ଭିଡିଓ ମେସେଜ୍ ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରି ମହାନ ବ୍ୟକ୍ତିଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଦେଶର ପ୍ରଗତିରେ ଯୋଗଦାନ ଦେଇଛନ୍ତି। ଆଜି କିଛି ଲୋକ ଏହା କହିବାକୁ ଚେଷ୍ଟା କରୁଛନ୍ତି ଯେ, ଭାରତ ପ୍ରଗତି କେବଳ ଏହି କିଛି ବର୍ଷରେ ହୋଇଛି।

ସେ କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ସହ ସମସ୍ତ ପ୍ରଧାନମନ୍ତ୍ରୀ ଦେଶ ବିଷୟରେ ଚିନ୍ତା କରିଛନ୍ତି ଏବଂ ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ବିରୋଧୀଙ୍କ ସ୍ଵର ଚପାଇବା ପାଇଁ ନୂତନ ଉପକରଣର ବ୍ୟବହାର କରାଯାଉଛି। କେବଳ ସିବିଆଇ, ଇଡି କିମ୍ବା ଆୟକର ରେଡ୍ ନୁହେଁ ଏବେ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଦୁର୍ବଳ କରାଯାଉଛି। ବିରୋଧୀ ସାଂସଦଙ୍କ ସ୍ଵର ଚପାଇ ଦିଆଯାଉଛି, ସସପେଣ୍ଡ କରାଯାଉଛି, ମାଇକ୍ ବନ୍ଦ କରାଯାଉଛି ଏବଂ ଭାଷଣକୁ ସଂସଦର ରେକର୍ଡରୁ ହଟାଇ ଦିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ