ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ୍ କଂଗ୍ରେସ ପକ୍ଷରୁ ଆଜି ୯ ଦଫା ଦାବି ନେଇ ବ୍ଲକ୍ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ଦଳୀୟ କର୍ମୀ ମାନେ ଉଲୁଣ୍ଡା ହାଟ ପଡ଼ିଆ ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ବ୍ଲକ୍ କାର୍ଯ୍ୟକାରୀ ସଭାପତି ପ୍ରଭୁଦତ୍ତ ବସ୍ତିଆଙ୍କ ନେତୃତ୍ବରେ ଦଳୀୟ କର୍ମୀ ମାନେ ଏକ ବାଇକ୍ ଶୋଭାଯାତ୍ରାରେ ଯାଇ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ବ୍ଲକ୍ ଅଫିସ୍ ରେ ବ୍ୟାପକ ପିସି କାରବାର , ଆବାସ ଯୋଜନାରେ ଦୁର୍ନୀତି , ଦର ଦାମ୍ ବୃଦ୍ଧି , ବେକାରୀ ସମସ୍ୟା , ନାରୀ ନିର୍ଯାତନା , ଚାଷୀ ମାରଣ ନୀତି , ତୃଟି ପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ଆଦି ପ୍ରତିବାଦରେ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଶୁକ୍ରବାର ଏ ଅବସରରେ ୯ ଦଫା ଦାବି ନେଇ ଏକ ଦାବିପତ୍ର ବିଡିଓ କରିସ୍ମା ବେସ୍ରା ଙ୍କୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦାନ କରିଥିଲେ । ଏହି ଆନ୍ଦୋଳନରେ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।
କଂଗ୍ରେସ ର 9 ଦଫା ଦାବି ନେଇ ଉଲୁଣ୍ଡା ବ୍ଲକ ଘେରାଉ ସହିତ ବିକ୍ଷୋଭ ପ୍ରଦର୍ଶନ
