Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯେଉଁମାନେ ଚର୍ଚ୍ଚା କରୁଛନ୍ତି ସେମାନ ପଢି ନାହାନ୍ତି, ଦଳର ମୁଖ୍ୟ ଲେଖାକୁ ନେଇ ମୋତେ କିଛି କହି ନାହାନ୍ତି: ସୌମ୍ୟ

ଭୁବନେଶ୍ୱର: ଦୈନିକ ସମ୍ବାଦପତ୍ର ଆମ ଘରର ହାଲଚାଲରେ ‘ଜନ୍ମଦିନର ଅନୁଚିନ୍ତା’ ଆଲେଖ୍ୟ ରାଜ୍ୟ ରାଜନୀତିରେ ଚହଳ ପକାଇଛି। ଏହି ଲେଖା ମାଧ୍ୟମରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ଫାଇଭ-ଟି ସଚିବଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାଙ୍କ ଆଲେଖ୍ୟକୁ ନେଇ ରାଜନୀତି ଉଠୁଛି ପଡ଼ୁଛି। ସୌମ୍ୟଙ୍କୁ ଦଳଭେଦି ବିଭୀଷଣ ମଧ୍ୟ କୁହାଯାଉଛି। ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସୌମ୍ୟ। ପ୍ରକାଶନର ଦିନକ ପରେ ସେ କହିଛନ୍ତି ଯେ, ଯେଉଁମାନେ ଚର୍ଚ୍ଚା କରୁଛନ୍ତି, ସେମାନେ ବୋଧହୁଏ ପଢି ନାହାନ୍ତି।

ସୌମ୍ୟ କହିଛନ୍ତି, ଆଲେଖ୍ୟରେ ବୃତ୍ତି, ପାର୍ଟି ଓ ମାଟି ବିଷୟରେ କୁହାଯାଇଛି। ଆମ ସମସ୍ତଙ୍କ ପାଇଁ ବୃତ୍ତି ଓ ମାଟି ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେବା ଦରକାର। ପାଠକଙ୍କ ସ୍ଵାଭିମାନ ପାଇଁ ସୌମ୍ୟଙ୍କ ପାର୍ଟି ବନ୍ଧା ପଡ଼ିଲେ ବି ଆପତ୍ତି ନାହିଁ। ପାର୍ଟି ପାଇଁ ମାଟିକୁ ଭୁଲିଯିବା କୌଣସି ବୁଦ୍ଧିମାନ ବ୍ୟକ୍ତିର କାମ ନୁହେଁ। ମୋ ଲେଖା ନେଇ ଦଳର ମୁଖ୍ୟ ତ ମୋତେ କିଛି କହି ନାହାନ୍ତି ବୋଲି ଖଣ୍ଡପଡ଼ାର ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଗତକାଲି ଅର୍ଥାତ ଅଗଷ୍ଟ ୧୮ ତାରିଖରେ ସମ୍ବାଦର ପ୍ରଥମ ପୃଷ୍ଠାରେ ଆମ ଘରର ହାଲଚାଲରେ ‘ଜନ୍ମଦିନର ଅନୁଚିନ୍ତା’ ଆଲେଖ୍ୟ ପ୍ରକାଶ ପାଇଥିଲା। ୭୨ତମ ଜନ୍ମଦିନ ପରିପ୍ରେକ୍ଷୀରେ ସୌମ୍ୟ ବାବୁ ଏହି ଲେଖା ଲେଖିଛନ୍ତି। ସେ ଏହି ଆଲେଖ୍ୟ ଜରିଆରେ ଲେଖିଛନ୍ତି ଯେ, ରାଜନୈତିକ ଦଳରେ ଥାଇ ଦଳର ସ୍ଵାର୍ଥକୁ ଆଖି ଆଗରେ ରଖି ଅନେକ ପ୍ରସଙ୍ଗରେ ନିରବ ରହିବାକୁ ଉଚିତ୍ ମଣୁଛୁ. ସେହିପରି ଅନେକ ସମୟରେ ମାଟିର କଥାକୁ ଅଣଦେଖା କରି ବୃତ୍ତି ଓ ଦଳର ସ୍ଵାର୍ଥକୁ ଅଗ୍ରାଧିକାର ଦେବାର ନଜିର ମଧ୍ୟ ରହିଛି।

ସୌମ୍ୟ ଫାଇଭ-ଟି ସଚିବଙ୍କ ତୁଫାନି ଓଡ଼ିଶା ଗସ୍ତ କରି ଲୋକଙ୍କଠୁ ଅଭିଯୋଗ ପତ୍ର ଗ୍ରହଣ କରିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ଲେଖିଛନ୍ତି ଏହି ପ୍ରାୟୋଜିତ କାର‌୍ୟ୍ୟକ୍ରମରେ କେତେ ପଇସା ଖର୍ଚ୍ଚ ହେଉଛି ତାର ହିସାବ କାହା ପାଖରେ ନାହିଁ। ସଚିବଙ୍କ ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ ହେଲା ବେଳକୁ ପ୍ରାୟ ୩୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବ ବୋଲି ଲେଖିଛନ୍ତି। ସେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଏବଂ ପାର୍ଟି ବଡ଼ ନା ମାଟି ବଡ଼ ପ୍ରସଙ୍ଗ ମଧ୍ୟ ଏହି ଲେଖାରେ ଅବତାରଣା କରିଛନ୍ତି। ତାଙ୍କର ଲେଖା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ