ବିଶ୍ୱ ଫଟୋଗ୍ରାଫି ଦିବସ


ସମ୍ବଲପୁର:ସମ୍ବଲପୁର ଫଟୋଗ୍ରାଫର୍ସ ଆସୋସିଏସନ ଓ ଫଟୋଫିଲିକ୍ସ ମିଳିତ ଆନୁକୂଲ୍ୟରେରେ ଆଜି ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆଜି ପୂର୍ବାହ୍ନ ରେ ମୁନ୍ସିପାଲଟି ଛକ ରୁ ଶତାଧିକ ଫୋଟଗ୍ରାଫରଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ନେଲସନ ମଣ୍ଡେଲା ଛକ ଓ ପୁଣି ମୁନ୍ସିପାଲଟି ଛକ ଯାଏ ଯାଇ ଫୋଟୋଗ୍ରାଫିର ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ଯରେ ପହଞ୍ଚାଯାଇଥିଲା l ପରେ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l
ସମ୍ବଲପୁର ଫୋଟଗ୍ରାଫର ସଙ୍ଘର ସମ୍ପାଦକ ସତ୍ୟଜିତ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଫଟୋଫିଲିକ୍ସର ସଭାପତି ଅରବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଫଟୋଗ୍ରାଫର ଆସୋସିଏସନର ସଭାପତି ଡମ୍ବରୁଧର ପ୍ରଧାନ ଓ ଫଟୋଫିଲିକ୍ସର ସମ୍ପାଦକ ସନ୍ତୋଷ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ l ବରିଷ୍ଠ ସଭ୍ୟ ରଂଜିତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ଫଟୋଫିଲିକ୍ସ ର ସଭାପତି ଶ୍ରୀ ମିଶ୍ର ବିଶ୍ୱ ଫୋଟୋଗ୍ରାଫି ଦିବସର ଇତିହାସ ଓ ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ସାହୁ ଫଟୋ ଓ ଫୋଟୋଗ୍ରାଫିର ଗୁରୁତ୍ୱ ଥିଲା, ଅଛି ଏବଂ ରହିବ ବୋଲି କହିଥିଲେ l ଆଜିର ଦିନରେ ଦୃଢ଼ ସଂକଳ୍ପ ନେଇ ନୂତନ ପିଢ଼ିର ଫଟୋଗ୍ରାଫର ମାନେ ଫୋଟୋଗ୍ରାଫିକୁ ଭଲପାଇ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ l ଫଟୋଫିଲିକ୍ସର ସମ୍ପାଦକ ଶ୍ରୀ ପଣ୍ଡା ଆଗାମୀ ଦିନରେ ଅନ୍ତର୍ଜାତୀୟ ଫୋଟୋଗ୍ରାଫି ପ୍ରଦର୍ଶନୀ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ l
ଏହି ବିଶ୍ୱ ଫଟୋଗ୍ରାଫି ଦିବସ ରେ ଅନ୍ୟମାନଙ୍କ ମଧ୍ୟରେ ଆଶିଷ ପ୍ରଧାନ, ଲଳିତ ରୋହିଦାସ, ସୂର୍ଯ୍ୟ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ମାନେ ଫୋଟୋଗ୍ରାଫି ଦିବସ ଉପରେ ନିଜନିଜର ମତ ରଖିଥିଲେ l
ଶେଷରେ ସମ୍ବଲପୁର ଫଟୋଗ୍ରାଫର ଆସୋସିଏସନ ର ଯୁଗ୍ମ ସମ୍ପାଦକ ତପନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l