ଜମନକିରାରେ ୯୬ ତମ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ: ଉତ୍ସବମୁଖର ସମଗ୍ର ଅଞ୍ଚଳ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଗ୍ରାମ ଉନ୍ନୟନ କମିଟି ଆନୁକୂଲ୍ୟରେ ୯୬ ତମ ଐତିହାସିକ ତଥା ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ବେଶ୍ ଧୂମଧାମ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ଏଥିପାଇଁ ପୂଜା ପ୍ରାଙ୍ଗଣରେ ନିର୍ମିତ ଭବ୍ୟ ଓ ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ସମଗ୍ର ଅଞ୍ଚଳକୁ ଉତ୍ସବମୁଖର କରି ଗଢ଼ିତୋଳିଛି।
ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଶ୍ୱିନ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ମହାମାୟାଙ୍କ ଶୁଭ ଘଟ ଆବାହନ କରାଯାଇଛି। ଏହାପରେ ବିଲ୍ୱବରଣ, ଅଧିବାସ ଏବଂ ମହାସପ୍ତମୀରେ ବୃହଦାଭିଷେକ ଓ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ସହ ବଳିଦାନ ଅନୁଷ୍ଠିତ ହୋଇଛି। ମହାଅଷ୍ଟମୀରେ ବିହିତ ଚଣ୍ଡୀପାଠ, ସନ୍ଧ୍ୟାରେ ଆକର୍ଷଣୀୟ ଭାଇଯୁଇନ୍ତିଆ ଉତ୍ସବ ତଥା ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ମହାନବମୀରେ ସନ୍ଧିପୂଜା ଏବଂ ଅର୍ଦ୍ଧରାତ୍ର ବଳିଦାନର ବିଧି ରହିଛି। ବିଜୟା ଦଶମୀ ବା ଦଶହରାରେ ନବପତ୍ରିକା ପୂଜା, ବୃହଦାଭିଷେକ ଏବଂ ପୂର୍ଣ୍ଣାହୂତି ସହ ଖଡ୍ଗ ଯାତ୍ରା ସମ୍ପନ୍ନ ହେବ। ଶେଷରେ ମା’ ଦୁର୍ଗାଙ୍କ ଭାବପୂର୍ଣ୍ଣ ଭସାଣୀ ଯାତ୍ରା (ଉପାଣୀ ଯାତ୍ରା) ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଛି।
ପୂଜା ଉପଲକ୍ଷେ ପ୍ରତ୍ୟହ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ନାଟକ, ଗୀତ, ତାସ, କେରମ୍ ପ୍ରତିଯୋଗିତା ସହ ମହିଳା କୀର୍ତ୍ତନ, ସ୍ୱୟଂ ସାଂସ୍କୃତିକ ଅର୍କେଷ୍ଟ୍ରା (ସମ୍ବଲପୁର), ଆଦିଶକ୍ତି ମେଲୋଡି (ସୋନପୁର), ଷ୍ଟାର ବେଣ୍ଡ ଗ୍ରୁପ (କଟକ) ଏବଂ ଆଲୋକ କୁରିଆ ଗ୍ରୁପଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟ-ସଙ୍ଗୀତ ପରିବେଷଣ ରହିଛି। ଏହାସହ ଦଶହରା ଅବସରରେ ପାର୍ବଣ ପଡ଼ିଆରେ ରାବଣ ପୋଡ଼ି ଏବଂ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି।
ପୂଜା କାର୍ଯ୍ୟରେ ପୂଜକ ଭାବେ ଅଶୋକ କୁମାର ପାଣିଗ୍ରାହୀ ଏବଂ କର୍ତ୍ତା ଭାବେ ହେମନ୍ତ କୁମାର ପଟେଲ ଦାୟିତ୍ୱ ତୁଲାଉଛନ୍ତି। ଏହି ମହୋତ୍ସବକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗ୍ରାମ ଉନ୍ନୟନ କମିଟିର ସଭାପତି ସୁବାସ ଚନ୍ଦ୍ର ସାହୁ, ଉପ-ସଭାପତି ଗୋପାଳ ସାହୁ, ସମ୍ପାଦକ ବିରାଜ ଘାଣ୍ଡେ, ସହ-ସମ୍ପାଦକ ଦେବାଶିଷ ମହାକୁଲ, କାର୍ଯ୍ୟକାରୀ ସଭାପତି ଦିଲୀପ ସାହୁ, କୋଷାଧ୍ୟକ୍ଷ ହରିହର ରଣା, ସହ-କୋଷାଧ୍ୟକ୍ଷ ସନ୍ତୋଷ ମହାକୁଲ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଓ କମିଟିର ସମସ୍ତ କର୍ମକର୍ତ୍ତା ସକ୍ରିୟ ସହଯୋଗ କରୁଛନ୍ତି। ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଜମନକିରା ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

