Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ସ୍ତ୍ରୀ’ଙ୍କୁ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ: ନାବାଳକ ସ୍ୱାମୀ ବିରୋଧରେ ବିଏନ୍‌ଏସ୍ ଓ ପକ୍‌ସୋ ଆକ୍ଟରେ ମାମଲା ରୁଜୁ

ଜମନକିରା : ପାରିବାରିକ କଳହରୁ ନାବାଳିକା ପତ୍ନୀଙ୍କୁ ବିଚ୍ ରାସ୍ତାରେ ପ୍ରାଣାନ୍ତକ ଆକ୍ରମଣ କରିବା ଘଟଣା ସମ୍ବଲପୁର ଜିଲ୍ଲା ଜମନକିରା ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ୱାମୀର ନିର୍ଧୁମ ମାଡ଼ରେ ଗୁରୁତର ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ପୀଡ଼ିତା। ଏହି ଘଟଣାରେ ଜମନକିରା ଥାନା ପୁଲିସ କେସ୍ ନଂ- ୧୭୪, ତା ୧୫.୧୦.୨୦୨୬ରିଖରେ ୧୭ ବର୍ଷୀୟ ନାବାଳକ ସ୍ୱାମୀ ବିରୋଧରେ ବିଏନ୍‌ଏସ୍ (BNS) ଧାରା ୧୩୭(୨)/୬୫(୧)/୧୧୫(୨)/୨୯୬ ଏବଂ ୬ ପକ୍‌ସୋ (POCSO) ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତାକୁ ଅଟକ ରଖିଛି।
ପ୍ରାପ୍ତ ସୂଚନା ମୁତାବକ, ଉକ୍ତ ନାବାଳକ ଓ ନାବାଳିକା ପ୍ରେମ ବିବାହ କରି କିଛି ମାସ ଏକାଠି ରହୁଥିଲେ। ବୁଧବାର ରାତି ପ୍ରାୟ ୯ଟା ୩୦ରେ ଜମନକିରା ଥାନା ଅନ୍ତର୍ଗତ ଟାଙ୍ଗରମାଲ ଗ୍ରାମ ଛକ ନିକଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଘର ଭିତରୁ ଘୋଷାଡ଼ି ଆଣି ରାସ୍ତା ଉପରେ ବେଧଡ଼କ ମାଡ଼ ମାରିଥିଲା। ମାଡ଼ର ଚୋଟ ସହି ନପାରି ନାବାଳିକା ଜଣକ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡ଼ିଯାଇଥିଲେ। ସ୍ତ୍ରୀର ମୃତ୍ୟୁ ଘଟିଥିବା ଭାବି ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲା। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲା। ଅନ୍ୟପଟେ, ଫେରାର୍ ହୋଇଥିବା ଅଭିଯୁକ୍ତ ସ୍ୱାମୀକୁ ପୁଲିସ କାବୁ କରିବା ସହ ଉପରୋକ୍ତ ସଙ୍ଗିନ ଧାରାରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories