କୁଚିଣ୍ଡାରେ ଉପଖଣ୍ଡସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ: ପ୍ରବୀଣମାନଙ୍କୁ ସମ୍ମାନ ଓ ସହାୟକ ଉପକରଣ ପ୍ରଦାନ
ଜମନକିରା : ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବହୁମୁଖୀ କଲ୍ୟାଣ ମଣ୍ଡପ ପରିସରରେ ଉପଖଣ୍ଡସ୍ତରୀୟ ‘ବରିଷ୍ଠ ନାଗରିକ ଦିବସ–୨୦୨୬’ ମହାସମାରୋହରେ ପାଳିତ ହୋଇଯାଇଛି। ସମାଜ ଗଠନରେ ପ୍ରବୀଣ ନାଗରିକଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କ ପ୍ରତି ସମ୍ମାନ ଓ ସହାନୁଭୂତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।
ଉକ୍ତ ସମାରୋହରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ବିଭୂତି କଲ୍ୟାଣ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ଭୁବନେଶ୍ୱର କିଷାନ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଆଲୋକ ପଟେଲ, ସହକାରୀ ଜିଲ୍ଲାପାଳ ଶ୍ରୀ ରମେଶ ସାହୁ, କୁଚିଣ୍ଡା ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ମହାନ୍ତି, ବାମରାର ବରିଷ୍ଠ ନେତୃତ୍ୱ ଶ୍ରୀ ଯୋଗବିହାରୀ ପରିଡ଼ା, ଜମନକିରାର ବିଶିଷ୍ଟ ସମାଜସେବୀ ଶ୍ରୀ ଗୋକୁଳଚନ୍ଦ୍ର ଦାନୀ ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାହ୍ନବୀ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।
ଦିବସ ପାଳନ ଉପଲକ୍ଷେ ପ୍ରଭାତ ୭ଟାରେ ଏକ ଯୋଗାଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା। ଏହାପରେ ପ୍ରକୃତି ସୁରକ୍ଷା ସହ ମାତୃତ୍ୱକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ‘ଏକ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ପରିସର ମଧ୍ୟରେ ବୃକ୍ଷରୋପଣ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବରିଷ୍ଠମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା ଯତ୍ନ ନିମନ୍ତେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଏଥିରେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସତ୍ୟପ୍ରକାଶ ମିଶ୍ର ଏବଂ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଋତୁରାଜ ସାହୁ ଉପସ୍ଥିତ ରହି ବୃଦ୍ଧାବୃଦ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ଔଷଧ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ।
ଅନୁଷ୍ଠିତ ସଚେତନତା ସଭାରେ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମହାନ୍ତ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ମାସିକ ଭତ୍ତା, ସ୍ୱାସ୍ଥ୍ୟସେବା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଲୋକାଭିମୁଖୀ ସରକାରୀ ଯୋଜନା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ସମାରୋହର ଅନ୍ତିମ ପର୍ଯ୍ୟାୟରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଓ ଆଦର୍ଶ ଜୀବନଶୈଳୀ ପାଇଁ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ପ୍ରଶାସନ ପକ୍ଷରୁ ଶାରୀରିକ ଚଳପ୍ରଚଳରେ ସହାୟତା ନିମନ୍ତେ ଆବଶ୍ୟକତା ଥିବା ବୃଦ୍ଧାବୃଦ୍ଧମାନଙ୍କୁ ଚାଲିବା ଲାଠି (ୱାକିଂ ଷ୍ଟିକ୍) ଏବଂ ଅଣ୍ଟା ବେଲ୍ଟ ବଣ୍ଟନ କରାଯାଇଥିଲା। ବୟୋଜ୍ୟେଷ୍ଠମାନଙ୍କ ଅନୁଭୂତି ସମାଜ ପାଇଁ ମାର୍ଗଦର୍ଶକ ସଦୃଶ ଏବଂ ସେମାନଙ୍କ ପ୍ରତି ସହୃଦୟ ଯତ୍ନଶୀଳ ହେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

