ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବଡ଼ବର୍ଡାକଟା ଗ୍ରାମର ରାଜ କୁମାର ପ୍ରଧାନ (୩୦) ନାମକ ଜଣେ ଯୁବକ ଗତ ଜୁନ ୧୨ ତାରିଖରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଯୁବକ ଜଣକ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ବଡମାଳ ଗ୍ରାମର ନିଜ ମଉସା ଘରେ କୋଠା ନିର୍ମାଣ ପାଇଁ ଛାତକାର୍ଯ୍ୟ ଚାଲିଥିବାରୁ ସେଠାକୁ ସହଯୋଗ କରିବାକୁ ଯାଇଥିଲେ । ତେବେ ଛାତ କାର୍ଯ୍ୟରେ ସହଯୋଗ କରିବା ସମୟରେ ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ସେଠାରେ କାମ କରୁଥିବା ଲୋକେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକ ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି । ତେବେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁପରେ ବିଦ୍ୟୁତ ବିଭାଗ ତରଫରୁ କୌଣସି ସହାୟତା ପ୍ରଦାନ କରାଯାଇ ନ ଥିଲା କିମ୍ବା ଏଯାଏ ମୃତ ଯୁବକଙ୍କ ପରିବାର କୁ କୌଣସି ସହାୟତା ପ୍ରଦାନ କରାଯାଇ ନାହିଁ । ତେବେ ଏହି ଘଟଣାକୁ ନେଇ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବଡ଼ବର୍ଡାକଟା ଗ୍ରାମର ସ୍ବେଚ୍ଛାସେବୀ ତଥା ସ୍ଥାନୀୟ ‘ସିୟା’ ସଂଗଠନର ସମ୍ପାଦକ ସୁଦାମ ଗାଇଗରିଆ ନୂଆଦିଲ୍ଲୀ ସ୍ଥିତ ଜାତୀୟ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ଯୋଗେଇ ଦେବାକୁ ଦାବୀକରି ଏଥିରେ କମିଶନଙ୍କ ହସ୍ତକ୍ଷେପ ନିମନ୍ତେ ଅନୁରୋଧ କରିଥିଲେ । ଏହାକୁ ବିଚାର ପାଇଁ ଗ୍ରହଣ କରି କମିଶନ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଓ ଟିପିଡବ୍ଲୁଓଡ଼ିଏଲ୍ କର୍ତ୍ତୃପକ୍ଷଙ୍କୁ ଘଟଣାର ଉପଯୁକ୍ତ ତଦନ୍ତ ସହ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ତେବେ ବିଦ୍ୟୁତ ବିଭାଗ ଯଥାଶୀଘ୍ର ମୃତକଙ୍କ ପରିବାର କୁ କ୍ଷତିପୂରଣ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି I
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣାରେ କ୍ଷତି ପୂରଣ ଦାବି
