ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଅବତରଣ କେବଳ ଭାରତ ନୁହେଁ ସମଗ୍ର ଦୁନିଆ ଅପେକ୍ଷା କରିଛି। ଏହି ମିଶନରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)କୁ ସାହାଯ୍ୟ କରୁଥିବା ନାସା ମଧ୍ୟ ଭାରତର ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ଚାହିଁ ରହିଛି। କେବଳ ଏତିକି ନୁହେଁ ନାସା ବ୍ୟତୀତ ୟୁରୋପୀୟନ ସ୍ପେସ୍ ଏଜେନ୍ସି(ଇଏସଏ) ମଧ୍ୟ ଯୋଗାଯୋଗ ସହ ଅନେକ କ୍ଷେତ୍ରରେ ଇସ୍ରୋର ସହଯୋଗ କରୁଛି।
ଗତ ଜୁଲାଇ ମାସରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ ପାଇଁ ନାସା ଭାରତକୁ ଶୁଭେଚ୍ଛା ଜଣାଇଥିଲା। ଏଥିସହିତ ଫଳାଫଳର ଅପେକ୍ଷା କରାଯିବ ବୋଲି ଏହି ଆମେରିକୀୟ ମହାକାଶ ଏଜେନ୍ସି କହିଥିଲା। ନାସାର ଅଧିକାରୀ ବିଲ୍ ନେସଲନ କହିଥିଲେ ଯେ, ଚନ୍ଦ୍ରଯାନ-୩ର ଉତକ୍ଷେପଣ ନେଇ ଇସ୍ରୋକୁ ଧନ୍ୟବାଦ। ଚନ୍ଦ୍ରର ସୁରକ୍ଷିତ ଯାତ୍ରାକୁ ନେଇ ଆପଣଙ୍କୁ ଶୁଭକାମନା। ଆମେ ମିଶନରୁ ମିଳିବାକୁ ଥିବା ଫଳାଫଳକୁ ଅପେକ୍ଷା କରୁଛୁ, ଯେଉଁଥିରେ ନାସାର ଲେଜର ରେଟ୍ରୋରିଫ୍ଲେକ୍ଟର ସାମିଲ୍ୱ।
ନାସା ଚନ୍ଦ୍ରଯାନ-୩ର ଅବତରଣ ସମୟରେ ଏହାର ଡିପ୍ ସ୍ପେସ ନେଟଓ୍ଵର୍କ କାନବେରା ଡିପ୍ ସ୍ପେସ କମ୍ୟୁନିକେସନ କମ୍ପ୍ଲେକ୍ସରେ ଡିପ୍ ସ୍ପେସ ଷ୍ଟେସନ ୩୬ ଓ ଡିଏସଏସ-୩୪ରୁ ଟେଲିମେଟ୍ରୀ ଓ ରାକିଂର ସୂଚନା ଦେଉଛି। ଏହି କାମରେ ମେଡ୍ରିଡ ଡିପ୍ ସ୍ପେସ କମ୍ୟୁନିକେସନ କମ୍ପ୍ଲେକ୍ସର ଡିଏସଏସ-୬୫ ମଧ୍ୟ ସାମିଲ୍।
ଏହି ମହତ୍ଵପୂର୍ଣ୍ଣ ଘଟଣାକ୍ରମର ପ୍ରସାରଣ ଆଜି ସନ୍ଧ୍ୟା ୫ଟା ୨୭ ମିନିଟରୁ ଆରମ୍ଭ ହେବ। ଲ୍ୟାଣ୍ଡିଂ ପ୍ରସାରଣକୁ ଇସ୍ରୋର ଓ୍ଵେବସାଇଟ୍, ୟୁଟ୍ୟୁବ୍ ଚ୍ୟାନେଲ, ଇସ୍ରୋର ଫେସବୁକ ପେଜ୍ ଓ ଡିଡି ନ୍ୟାସନାଲ ଟିଭି ଚ୍ୟାନେଲ ସହିତ ଅନେକ ମଞ୍ଚରେ ଦେଶବାସୀ ଏହା ଦେଖି ପାରିବେ। ଏଥିପାଇଁ ସମଗ୍ର ଦେଶର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର ଛାତ୍ର-ଛାତ୍ରୀ ଓ ଶିକ୍ଷକମାନଙ୍କୁ ଆମନ୍ତ୍ରିତ କରାଯାଇଛି। ଆଶା କରାଯାଉଛି ଚନ୍ଦ୍ରଯାନ-୩ ସନ୍ଧ୍ୟା ପାଖାପାଖି ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ନରମ ଅବତରଣ କରିବ।