ବିଲ ପୈଠ କରି ସୁଦ୍ଧା ବହୁ ଉପଭୋକ୍ତା ଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ଟାଟା ପାୱାର୍

ବୀରମହାରାଜପୁର : ବିଦ୍ୟୁତ ବିଲ ପୈଠ କରିଥିବା ସତ୍ତ୍ବେ ୫୩ ଉପଭୋକ୍ତା ଙ୍କ ବିଦ୍ୟୁତ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମପଞ୍ଚାୟତର ବାବୁପାଲି ଓ ମୁଣ୍ଡାପଡା(କୋହ୍ଲପଡା) ର ୫୩ ଜଣ ଉପଭୋକ୍ତା ଙ୍କ ବିଦ୍ୟୁତ ଗୁରୁବାର ଦିନ ପୂର୍ବାହ୍ନରେ ବିଚ୍ଛିନ୍ନ କରିଛି ବିଭାଗ । ହିତାଧିକାରୀମାନେ ଚାରି ଦିନ ପୂର୍ବରୁ ବିଦ୍ୟୁତ ବିଲ ପୈଠ କରିଥିବା ସତ୍ତ୍ବେ ବିଦ୍ୟୁତ ବିଚ୍ଛିନ୍ନ କରିବାରୁ ଉପଭୋକ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୁଚନାମତେ ଆଜିକୁ ପ୍ରାୟ ୪ ଦିନ ପୂର୍ବେ ଟାଟା ପାୱାର ବିଭାଗର ଜଣେ କର୍ମଚାରୀ ଆସି ମୁଣ୍ଡାପଡା(କୋହ୍ଲପଡା) ଓ ବାବୁପାଲି ଗ୍ରାମରୁ ବିଦ୍ୟୁତ ବିଲ ସଂଗ୍ରହ କରିଥିଲେ । ଗ୍ରାମର ପ୍ରାୟ ଅଧିକାଂଶ ଉପଭୋକ୍ତା ବିଦ୍ୟୁତ ବିଲ ମଧ୍ୟ ପୈଠ କରିଥିଲେ । ମାତ୍ର ଦୁଇ କିମ୍ବା ତିନି ଜଣ ଉପଭୋକ୍ତା ଘରେ ନ ଥିବାରୁ ବିଲ ପୈଠ କରି ପାରି ନ ଥିଲେ ।ତେବେ ଗୁରୁବାର ଦିନ ଟାଟା ପାୱାର ର ପୁଣି ଜଣେ ଅଲଗା କର୍ମଚାରୀ ଗ୍ରାମକୁ ଆସି ବିଲ ପୈଠ କରିବାକୁ କହିଥିଲେ । ଚାରି ଦିନ ପୂର୍ବରୁ ବିଦ୍ୟୁତ ବିଲ ପୈଠ କରିଥିବାରୁ ଉପଭୋକ୍ତାମାନେ ପୁଣି ଟଙ୍କା ଦେବାକୁ ମନା କରିଥିଲେ । ଉପଭୋକ୍ତା ଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ ଉଭୟ ଗ୍ରାମର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି । ଉଭୟ ଗ୍ରାମ ଏବେ ଅନ୍ଧାର ରେ ରହିଛି। ମୁଣ୍ଡାପଡା ର ସମସ୍ତ ଅଧିବାସୀ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ଉଭୟ ଗ୍ରାମର ସମସ୍ତ ଉପଭୋକ୍ତା ଗରୀବ ଶ୍ରେଣୀର ଅଟନ୍ତି । ବିଦ୍ୟୁତ ନ ଥିବାରୁ ଏବେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମଶା ଙ୍କ ପ୍ରାଦୁର୍ଭାବ ସହିତ ଛାତ୍ର ଛାତ୍ରୀ ଙ୍କ ପାଠ ପଢାରେ ବାଧା ଦେଖାଦେଇଛି । ବିଭାଗର ଏପରି ବେପରୁଆ ଭାବେ ବିଦ୍ୟୁତ କାଟ କୁ ଗ୍ରାମବାସୀ ନିନ୍ଦା କରିବା ସହିତ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ଦାବୀ କରିଛନ୍ତି । ଏନେଇ ବିଭାଗୀୟ ଏସଡିଓ ଏବଂ ସେକସନ ଅଫିସର ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଗ୍ରହଣ କରି ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ । ବର୍ତ୍ତମାନ ସୁଦ୍ଧା ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବା ଜଣା ପଡିଛି । ତେବେ ବିଭାଗର ଏପରି ବେପରୁଆ କାର୍ଯ୍ୟକଳାପ କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।