ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତାଲୁକ ଆଇନସେବା କମିଟୀ ପକ୍ଷରୁ ରବିବାର ସୁବଳୟା କଲ୍ୟାଣ ମଣ୍ଡପ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇନ ର ବିଭିନ୍ନ ଦିଗ ଉପରେ ସଚେତନତା କରାଯାଇଥିଲା । ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା । କମିଟିର ଅଧ୍ୟକ୍ଷା ତଥା ବରିଷ୍ଠ ଦେୱାନୀ ବିଚାରପତି ସରୋଜିନୀ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ଏସଡିଜେଏମ ରାଜେଶ୍ୱରୀ ପଟ୍ଟନାୟକ , ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର , ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସମିତ୍ ମହାକୁର , ଡିପିସି ମଞ୍ଜୁଶ୍ରୀ ଭୂୟାଁ , ଓଡ଼ିଶା ଜୀବିକା ମିଶନର କର୍ମଚାରୀ ମନୋଜ ବାଘ ପ୍ରମୁଖ ଏଥିରେ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ସରପଞ୍ଚ ପ୍ରମୋଦ ମହାପାତ୍ର , ବରିଷ୍ଠ ନାଗରିକ ସଙ୍ଘର ସଭାପତି ନାରାୟଣ ମିଶ୍ର , ହରିହର ସାହୁଙ୍କ ସମେତ ଶିବିରରେ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା , ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଆଇନଜିବୀ ସନ୍ତୋଷ ଚାନ୍ଦ ସଭା ପରିଚାଳନା କରିଥିବାବେଳେ ବରିଷ୍ଠ ଆଇନଜିବୀ ତଥା ଖବରଦାତା ନନ୍ଦକିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସୁବଳୟା ରେ ଆଇନ ସଚେତନତା ଶିବିର
