ଭବାନୀପାଟଣା ରାଜପ୍ରାସାଦରେ ଚୋରି ଉଦ୍ୟମ ପଣ୍ଡ : ଚୋରକୁ କାବୁ କରି ପୁଲିସ ଜିମା ଦେଲେ ଲୋକେ


କଳାହାଣ୍ଡି,୨୮/୦୮-କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଚୋରି, ରାହାଜାନି, ଡକାୟତି ଭଳି ଘଟଣା ହ୍ରାସ ପାଇବା ବଦଳରେ ବଢ଼ିଚାଲିଛି ! ଗତ କିଛିଦିନ ତଳେ କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସର ତଦନ୍ତ ଜାରି ଥିବାବେଳେ ରବିବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରର କେନ୍ଦ୍ରସ୍ଥଳୀରେ ଥିବା ରାଜପ୍ରାସାଦରେ ଚୋରି ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ଓ ପ୍ରାସାଦର ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଚୋର ଧରାପଡ଼ିଥିବାବେଳେ ଅନ୍ୟ ଚୋରମାନେ ପଳାଇଯିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି ! ସୂଚନାନୁଯାୟୀ, ରାଜପ୍ରାସାଦର ପାଚେରୀ ପାଚେରୀ ଡେଇଁ କିଛି ଅଜଣାବ୍ୟକ୍ତି ପଶୁଥିବାବେଳେ କିଛି ସ୍ଥାନୀୟ ଯୁବକ ଦେଖିଥିଲେ ! ସନ୍ଦେହ ହେବାରୁ ପ୍ରାସାଦର ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇଥିଲେ ! ସୁରକ୍ଷା କର୍ମୀ ଓ ସ୍ଥାନୀୟ ଯୁବକମାନଙ୍କ ହୋହଲ୍ଲା ଶୁଣି ଚୋରମାନେ ଦୌଡ଼ି ପଳାଇଥିବାବେଳେ ଜଣକୁ କାବୁ କରିବା ସହିତ ଟାଉନ୍ ପୁଲିସ ଜିମାରେ ଦିଆଯାଇଥିଲା ! ଚୋର ଜଣକ ବିହାର ଅଞ୍ଚଳର ବୋଲି କହୁଥିବାବେଳେ ତା’ ସହିତ ପାଞ୍ଚରୁ ଛଅ ଜଣ ଥିବା ସୂଚନା ମିଳିଛି ! ତେବେ ସହରର ଛାତି ଉପରେ ଥିବା ରାଜପ୍ରାସାଦରେ ଚୋରି ଉଦ୍ୟମ ଖବର ପ୍ରଚାରିତ ହେବା ପରେ ପୁଲିସ ବିଭାଗ ଆହୁରି ସଜାଗ ହୋଇଯାଇଛି ! ଏହାସହିତ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି !