Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଉପରେ ମୋଦୀ ସରକାର ଗଠନ କଲେ କମିଟି, ରାମନାଥ କୋବିନ୍ଦ ହେବେ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସମଗ୍ର ଦେଶର ରାଜନୀତି ଉଷ୍ମ ହୋଇ ଉଠିଛି। ମୋଦୀ ସରକାର ଏହା ଉପରେ ଗମ୍ଭୀରତାର ସହ ବିଚାର ମଧ୍ୟ କରୁଛନ୍ତି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି, ଯାହାର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କରାଯାଇଛି। ଏହି ସମ୍ବନ୍ଧରେ ଖୁବ୍ ଶୀଘ୍ର ବିଜ୍ଞପ୍ତି ଜାରି କରାଯାଇପାରେ। କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ରୁ ସେପ୍ଟେମ୍ବର ୨୨ ଯାଏ ସଂସଦର ସ୍ଵତନ୍ତ୍ର ଅଧିବେଶନ ଡକାଇଛନ୍ତି। ଅଧିବେଶନରେ କଣ ଆଲୋଚନା ହେବ ତାର ଏଜେଣ୍ଡା ପ୍ରକାଶ କରାଯାଇ ନାହିଁ। ମାତ୍ର କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଏହି ଅଧିବେଶନ ଡକାଯାଇଛି। କିନ୍ତୁ ସରକାରଙ୍କ ପକ୍ଷରୁ ଅଦ୍ୟାବଧି ଏ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ।

ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଜି-୨୦ ଦେଶର ଶିଖର ସମ୍ମିଳନୀ ପରେ ସ୍ଵତନ୍ତ୍ର ଅଧିବେଶନର ଏଜେଣ୍ଡା ସ୍ଥିର କରାଯିବ। କିନ୍ତୁ ଏବେ କମିଟି ଗଠନ କରାଯିବା ପରେ ଏହି ଆଶଙ୍କା ଦୃଢୀଭୂତ ହୋଇଛି ଯେ, ସ୍ଵତନ୍ତ୍ର ଅଧିବେଶନ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ଆଲୋଚନା ପାଇଁ ଡକାଯାଇଛି। ଅନ୍ୟପଟେ ପ୍ରଶ୍ନ ଉଠୁଛି ଯେ, କଣ ଗଠନ ହୋଇଥିବା କମିଟି ୧୫ ଦିନ ଭିତରେ ରିପୋର୍ଟ ଦେଇ ପାରିବେ, ଯାହା ଉପରେ ସଂସଦରେ ଆଲୋଚନା ହେବ।

ଗତ କିଛି ବର୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର ଲୋକସଭା ନିର୍ବାଚନ ଓ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ଏକ ସଙ୍ଗେ କରାଇବାକୁ ପ୍ରସ୍ତାବ ଦେଇ ସାରିଛନ୍ତି। ଏ ସମ୍ବନ୍ଧରେ ଏବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିଚାର କରିବେ। ଉଲ୍ଲେଖନୀୟ ଚଳିତ ବର୍ଷ ଶେଷ ଆଡ଼କୁ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ଅନୁମାନ କରାଯାଉଛି ଯେ, ଯଦି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ମୋହର ବାଜେ, ତେବେ ୫ ରାଜ୍ୟର ନିର୍ବାଚନ ଘୁଞ୍ଚାଯାଇପାରେ। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଏଥର ଲୋକସଭା ନିର୍ବାଚନ କିଛି ମାସ ପୂର୍ବରୁ କରାଯାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ