ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ କର୍ଡାପାଲ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ସ୍ଵାମୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଲେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଭରତାପୁର ଗ୍ରାମ ପଞ୍ଚାୟତ ର ବିଶ୍ଵନାଥପୁର (ସରୁଆଝୁଲି) ଗ୍ରାମର ଉଦ୍ଧବ ପଧାନ (୮୦) ବୋଲି ଜଣା ପଡିଛି l ମିଳିଥିବା ସୂଚନା ମତେ ମୃତକ ଉଦ୍ଧବ ଓ ତାଙ୍କ ସ୍ତ୍ରୀ ମାଳତୀ ପଧାନ ଗୁରୁବାର ଦିନ କର୍ଡାପାଲ ଗ୍ରାମ କୁ ଆସିଥିଲେ। କର୍ଡାପାଲ ଗ୍ରାମ ର ତାଙ୍କ ଜ୍ବାଇଁ ବାଇଧର ବିଶ୍ବାଳ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏବେ ବୌଦ୍ଧ ରେ ଡ଼ାଇଲୋଷିସ ହେଉଛନ୍ତି l ତାଙ୍କୁ ଦେଖିବାକୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଆସିଥିଲେ l ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟାହ୍ନ ରେ ଗ୍ରାମର ପାନଖିଆ ବନ୍ଧ କୁ ଗାଧୋଇବାକୁ ଯାଇଥିଲେ l ଗାଧୋଇବା ବେଳେ ସ୍ବାମୀ ଉଦ୍ଧବ ଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ l ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ତ୍ରୀ ମାଳତୀ ମଧ୍ୟ ଗୁରୁତର ହୋଇପଡ଼ିଥିଲେ l ଖବର ପାଇ ବୀରମହାରାଜପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଅଗ୍ନିଶମ ବାହିନୀ କୁ ଖବର ଦେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ l ଉଭୟଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଡାକ୍ତର ଉଦ୍ଧବ ଙ୍କୁ ମୃତ ଘୋଷଣା କରିଥିଲେ l ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି l ଏନେଇ ବୀରମହାରାଜପୁର ଥାନାରେ କେସ ନଂ ୧୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରିଣୀ ରାଜେଶ୍ୱରୀ ଭୋଇ ପ୍ରକାଶ କରିଛନ୍ତି l ଘଟଣାଟି ଘଟିବା ପରେ ଅଞ୍ଚଳ ରେ ଶୋକ ର ଛାୟା ଖେଲାଇଯାଇଛି l ମୃତକ ଜଣକ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପରିବାର କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ ହେଉଛି l
ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ସ୍ଵାମୀ ମୃତ , ସ୍ତ୍ରୀ ଗୁରୁତର
