ଉଲୁଣ୍ଡା ବ୍ଲକ ସ୍ତରୀୟ କଳାକାର ଚୟନ ଶିବିର ଆୟୋଜିତ


ବୀରମହାରାଜପୁର : କଳାକାର ମାନଙ୍କ ଜରିଆରେ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ରାଜୀବ ଭବନ ପରିସରରେ ବ୍ଲକ ସ୍ତରୀୟ କଳାକାର ଚୟନ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଉନ୍ନୟନ ଅଧିକାରୀଣି କରିସ୍ମା ବେସ୍ରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୧୧ ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିବା ବେଳେ ୮୨ ଟି ସାଂସ୍କୃତିକ ଦଳକୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ଚୟନ ହୋଇଥିବା ସାଂସ୍କୃତିକ ଦଳର କଳାକାର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସରକାରୀ ଯୋଜନାର କିଭଳି ପ୍ରଚାର ପ୍ରସାର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ଆମ ଡାକ୍ତରଖାନା , ଆମ ଓଡ଼ିଶା ନବୀନ ଓଡ଼ିଶା , କୃଷି ଋଣ , ଫସଲ ବୀମା , ମଧୁବାବୁ ପେନସନ , ୫-ଟି ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରିକରଣ , ଆଦର୍ଶ ବିଦ୍ୟାଳୟ , ମିଶନ ଶକ୍ତି , ହକି ଖେଳର ପ୍ରଚାର ପ୍ରସାର ସମେତ ମମତା ଏବଂ ହରିଶ୍ଚନ୍ଦ୍ର ଯୋଜନାର ସଫଳତା ନେଇ ଏହି କଳାକାର ମାନଙ୍କ ଜରିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଜନସାଧାରଣଙ୍କ ପାଖରେ ପହଂଚି ପାରିବ । ଫଳରେ ଜନସାଧାରଣ ସରକାରଙ୍କ ଯୋଜନା ଉପରେ ଅବଗତ ହେବା ସହ ଏହାର ଲାଭ ଉଠାଇ ପାରିବେ । ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁଭ୍ରାଂସୁ ସେଖର ମଲ୍ଲିକ , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିରୋଦ ରାୟ ପ୍ରମୁଖ ମଂଚାସୀନ ଥିଲେ । କଣ୍ଠଶିଳ୍ପୀ ଶତୃଘ୍ନ ଲୁହା ଏବଂ ଉଲୁଣ୍ଡା ବ୍ଲକ କଳାକାର ସଂସ୍କୃତି ସଙ୍ଘ ଉପସଭାପତି ଶ୍ୟାମ ସୁନ୍ଦର ସୁନା ବିଚାରକ ଭାବେ ଯୋଗଦେଇ କଳାକାର ଚୟନ କରିଥିଲେ ।