ବୀରମହାରାଜପୁର : ବିଭିନ୍ନ ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଙ୍ଘର ସମସ୍ତ ସଦସ୍ୟ ସୋମବାର ଠାରୁ ଧାରଣା ରେ ବସିଛନ୍ତି । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ , କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ , ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକ କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଂଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା , ଏକ୍ସ-କ୍ୟାଡର ଶିକ୍ଷକ ମାନଙ୍କୁ ଏଲିମେଂଟାରୀ କ୍ୟାଡର ଭୁକ୍ତି କରିବା ସହିତ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ , ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ମୂଲ ବେତନ ଲେବୁଲ-୯ ଅନୁଯାୟୀ ଗ୍ରେଡପେ ୪୨୦୦ ପ୍ରଦାନ ଏବଂ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍ସନ ବ୍ୟବସ୍ଥା ପୁନଃ କାର୍ଯ୍ୟକାରୀ କରିବା ଦାବିରେ ଆନ୍ଦୋଳନ କରାଯାଉଛି । ଉଲୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ସଙ୍ଘର ସମସ୍ତ ସଦସ୍ୟ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏଥିରେ ଜିଲ୍ଲାସ୍ତରୀୟ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଦାମ୍ବୋଦର ପଣ୍ଡା , ବ୍ଲକ ସମ୍ପାଦକ ବିଶ୍ୱଜିତ ଆଚାର୍ଯ୍ୟ , ଗୌତମ ମେଣ୍ଡେଲି , ବେଣୁଧର ସୁରୁଜାଲ , ବିରେନ୍ ମିଶ୍ର , କୃଷ୍ଣରଂଜନ ପଣ୍ଡାଙ୍କ ସମେତ ସଙ୍ଘର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ ।
ଆନ୍ଦୋଳନ କୁ ଓହ୍ଲାଇ ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ସଂଘ
