କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଜାରି : ଲାଞ୍ଜିଗଡ଼ ପରେ ମ.ରାମପୁର ବ୍ଲକରେ ରେକର୍ଡ ପରିମାଣର ବର୍ଷା, ଜନଜୀବନ ବେହାଲ


କଳାହାଣ୍ଡି,୧୪/୦୯-ଲଘୁଚାପ ଯୋଗୁଁ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ବର୍ଷା ଏ ପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ ! ମରୁଡ଼ି ଭଳି ପରିସ୍ଥିତି ଦେଖାଦେଇଥିବାବେଳେ ଏଇ ବର୍ଷା ଯୋଗୁଁ ଚାଷୀ ଆଶ୍ବସ୍ତ ହୋଇଛି ସତ କିନ୍ତୁ ତିନିଦିନର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାରେ ଜନଜୀବନ ବେହାଲ ହୋଇପଡ଼ିଛି ! ଜିଲ୍ଲାର ଛୋଟବଡ଼ ନଦୀ ଓ ପାହାଡ଼ିଆ ନାଳରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି ! ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି ! ଏପରିକି ଜିଲ୍ଲାରେ ତିନି ଦିନ ମଧ୍ୟରେ ଏ ବର୍ଷର ରେକର୍ଡ ପରିମାଣ ବର୍ଷା ହୋଇଥିବାବେଳେ ବୁଧବାର ଦିନ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ ସର୍ବାଧିକ ୧୫୬.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ! ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଲାଞ୍ଜିଗଡ଼ ବ୍ଲକ ହରେକ୍ରୁଷ୍ଣପୁର ଗାଁରେ ଘର ଭାଙ୍ଗି ଜଣେ ମହିଳାଙ୍କ ମ୍ରୁତ୍ୟୁ ଘଟିଥିବାବେଳେ ଆଜି ବିଶ୍ବନାଥପୁର ନିକଟସ୍ଥ ଡୁମେରମୁଣ୍ଡାରେ ମାଟିଘର ଭାଙ୍ଗି ଜଣକର ମ୍ରୁତ୍ୟୁ ଘଟିଛି ! ସେହିପରି ଆଜି ଦିନ ତମାମ ଲଗାଣ ବର୍ଷା ଜାରି ରହିଥିବାବେଳେ ଜିଲ୍ଲାର ମ. ରାମପୁର ବ୍ଲକ ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି ! ମ. ରାମପୁର ବ୍ଲକରେ ବର୍ତ୍ତମାନ ସୁଦ୍ଧା ୧୯୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ! ସେହିପରି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ୧୫୮ ମିଲିମିଟର, ଲାଞ୍ଜିଗଡ଼ ବ୍ଲକରେ ୧୨୧.୪ ମିଲିମିଟର ଓ ନର୍ଲା ବ୍ଲକରେ ୧୧୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ! ଅପରପକ୍ଷରେ ଜୁନାଗଡ଼, ଧର୍ମଗଡ଼, କୋକସରା, ଗୋଲାମୁଣ୍ଡା ଅଞ୍ଚଳରେ ଅପେକ୍ଷାକ୍ରୁତ କମ୍ ବର୍ଷା ହୋଇଥିବା ଜିଲ୍ଲା ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି !