ବୀରମହାରାଜପୁର ରେ ବର୍ଷା ଯୋଗୁଁ ପୂରା ଉଆଁସ ଖେଳ ରେ ବାଧା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ‘ ପୂରା ଉଆଁସ’ ପର୍ବ ଦିନ ବର୍ଷା ହେବାରୁ ଧୁମଧାମରେ ପାଳିତ ହୋଇ ପାରିଲା ନାହିଁ । ସପ୍ତପୁରୀ ଅମାବାସ୍ୟା ଅବସରରେ ପାଳିତ ହେଉଥିବା ଏହି ପର୍ବ କୁ ପୁରା ଉଆଁସ କହୁଥିବା ବେଳେ ବ୍ଳକର ସମସ୍ତ ଗ୍ରାମ ଚଳଚଞ୍ଚଳ ହୋଇ ଉଠୁ ଥିଲା । ପାରମ୍ପରିକ ରୀତିନୀତି ରେ ସର୍ବତ୍ର ଏହି ପର୍ବ ପାଳିତ ହୋଇଛି । ବ୍ଳକର ସୁବଳୟା ଠାରେ ସପ୍ତପୁରୀ ଅମାବାସ୍ୟା ପୂରା ଉଆଁସ ଓ ଲଙ୍କା ପୋଡ଼ି ଭାବେ କାହିଁ କେଉଁ ଆବାହମାନ କାଳରୁ ପାଳିତ ହୋଇଆସୁଛି । ଏଥିପାଇଁ ସକାଳୁ ଗ୍ରାମର ଦେବାଦେବୀ ଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ପର୍ବ ପାଳିତ ହୋଇଥାଏ । ଅପରାହ୍ନ ସମୟରେ ଛୋଟ ଛୋଟ ପୁଅ ପିଲା ମାନେ କାଠ ଓ ମାଟି ତିଆରି ହାତୀ , ଘୋଡା ଓ ଷଣ୍ଢ ଆଦି ଖେଳନାକୁ ଫୁଲ ଓ ହିନ୍ଦୁର ରେ ସଜାଇ ଖେଳିବାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ବାହାରିଥାନ୍ତି । ସେମାନଙ୍କ ଖେଳରେ ନିଜ ନିଜର ହାତୀ ଘୋଡା ଙ୍କୁ ଲଢେଇ କରିଥାନ୍ତି । ଶେଷରେ ସେମାନେ କୁନିକୁନି ଝିଅଙ୍କୁ ନିଜ ହାତୀ ଓ ଘୋଡା ପାଇଁ ଖାଦ୍ୟ ମାଗିଥାନ୍ତି । ଅନ୍ୟପକ୍ଷରେ କୁନିକୁନି ଛୋଟ ଛୋଟ ଝିଅମାନେ ଚାଙ୍ଗୁଡି ଅଥବା ମାଟି ନିର୍ମିତ ପାତ୍ର ରେ ମକା , ଶିମ୍ବ , ମୁଗ , କୋଳଥ , ଲିଆ ଓ ସାତ ପ୍ରକାରର ଚଣା ଆଦି ଧରି ଗାଁ ମୁଣ୍ଡରେ ଏକତ୍ରିତ ହୋଇଥାନ୍ତି । ନିଜନିଜ ମଧ୍ୟରେ ଏହି ଖାଦ୍ୟ କୁ ଦିଆନିଆ ହେବା ସହ ପିଲାମାନଙ୍କୁ ବାଣ୍ଟିଥାଆନ୍ତି । ଏହି ନିଆରା ପରମ୍ପରା ରାଜାରାଜୁଡ଼ା ସମୟରୁ ପାଳିତ ହୋଇଆସୁଛି। ଏହି ପର୍ବ ପାଳନ ମାଧ୍ୟମରେ ସେତେବେଳେ ପୁଅ ପିଲାଙ୍କୁ ଯୁଦ୍ଧ ଓ ଝିଅମାନଙ୍କୁ ଘର କରଣାର ଶିକ୍ଷା ମିଳୁଥିବା ବେଳେ ପରମ୍ପରା ରୁ ଭାଇ ଚାରର ବାର୍ତ୍ତା ସହ ମିଳାମିଶି ଚଳିବାକୁ ଶିକ୍ଷା ମିଳିଥାଏ ।