Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଡ଼ିଆ ଘରେ ଆବାସ ଗୃହ ଫଳକ

ଝାରସୁଗୁଡା ୧୭/୯ (ଓଡ଼ିଶା ନ୍ୟୁଜ) କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ଗରିବ ଶ୍ରେଣୀର ପରିବାର ବର୍ଗଙ୍କୁ ଆବାସ ଗୃହ କିମ୍ବା ମୋ କୁଡ଼ିଆ ଯୋଜନା ମାଧ୍ୟମରେ ପକ୍କା ବାସଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ରାଶି ଯୋଗାଇ ଦେଉଛନ୍ତି । କିନ୍ତୁ ଜଣେ ଅସହାୟ ଗରିବ ବିଧବା ମହିଳାଙ୍କ ନାଁ ରେ ଆସିଥିବା ଆବାସ ଗୃହର ଟଙ୍କା ବାଟ ମାରଣା ହୋଇଥିବା ଅଭିଯୋଗ ହେଉଛି । ଯେଉଁଥିରେ କି ଜଣେ ଅସହାୟ ବିଧବା ମହିଳାଙ୍କ ଝାଟିମାଟି ତାରପଲିନ କୁଡ଼ିଆ ଘରେ ଲାଗିଛି ଆବାସ ଗୃହ ଫଳକ । ଏପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳରୁ ।
ସୂଚନା ଅନୁଯାୟୀ ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ଚାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଣ୍ଟିପାଲି ଗ୍ରାମରେ ସ୍ଥାୟୀ ବାସିନ୍ଦା ଭାବେ ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି ୫୮ ବର୍ଷୀୟ ବିଧବା ବସୁମତୀ ସାହୁ । ତାଙ୍କ ବାପା ପରାଗ ସାହୁଙ୍କ ମୃତ୍ୟୁ ପରେ ସେ ଏକାକି ଚାଣ୍ଟିପାଲି ଗାଁ ସ୍ଥିତ ଝାଟିମାଟିରେ ତିଆରି ପୈତୃକ ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଅସରାଏ ବର୍ଷା ହେଲେ ଘର ଭିତଟା ପାଣି ସର ସର ହୋଇ ଯାଉଛି । ସେଥିରୁ ଟିକିଏ ରକ୍ଷା ପାଇବା ପାଇଁ ବର୍ତ୍ତମାନ ତାରପଳିନର ସାହାରା ନେଇଛନ୍ତି । ତାଙ୍କର ଆର୍ଥିକ ପରିସ୍ଥିତି ଠିକ ନଥିବା ଯୋଗୁଁ ଘରଟିଏ ତିଆରି କରିବା କିମ୍ବା ସଜାଡ଼ିବା ନିମନ୍ତେ ତାଙ୍କ ପକ୍ଷେ ସମ୍ଭପର ହେଉନାହିଁ । ତେଣୁ ଖଣ୍ଡେ ସରକାରୀ ଆବାସ ଗୃହପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ଠାରେ ଅନେକ ଥର ନେହୁରା ହୋଇ ଗୁହାରି କରିଥିଲେ ମଧ୍ୟ ତାଙ୍କ ଉପରେ ସରକାରୀ ବାବୁ କିମ୍ବା ସ୍ଥାନୀୟ ଜନ ପ୍ରତିନିଧି ଙ୍କ କୃପା ଦୃଷ୍ଟି ପଡୁନାହିଁ ବୋଲି ବିଧବା ବସୁମତୀ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ୨୦୧୧/୧୨ ଆର୍ଥିକ ବର୍ଷରେ ତାଙ୍କ ନାଁ ରେ ଏକ ଆବାସ ଗୃହ ଆସିଥିଲା । କିନ୍ତୁ ତାଙ୍କ ଅଜାଣତରେ କେହି ଚଞ୍ଚକତା କରି ଘର ତିଆରି ହୋଇଥିବା ଦର୍ଶାଇ ସମସ୍ତ ଟଙ୍କାକୁ ଆତ୍ମସାତ କରି ନେଇ ଯାଇଥିବା ସେ ଅଭିଯୋଗ କରୁଛନ୍ତି । ଗତ ୨୦୨୨ ଡିସେମ୍ବର ୧୨ ତାରିଖରେ ଲଖନପୁର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଜନ ଶୁଣାଣି ଶିବିରରେ ଏକ ଆବାସ ଗୃହ ଯୋଗାଇ ଦେବାକୁ ଲିଖିତ ଭାବେ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ବିଧବା ବସୁମତୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ ସାହୁ କହିଛନ୍ତି ଯେ ଏହାର ଉଚିତ ତଦନ୍ତ କରାଯିବ ଏବଂ ଜିଲ୍ଲା ସ୍ତରୀୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କୁ ଏକ ଆବାସ ଗୃହ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ