ଚିଳିଗୁଡା ବାଲିଘାଟ ରୁ ବାଲି ଚୋରାଚାଲାଣ, ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ

ଭବାନୀପାଟଣା, ୨୩/୦୯ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ବାଲିଘାଟ ଏବେ ବାଲି ମାଫିଆଙ୍କ କବଜାରେ ରହିଛି । ଏହି ବାଲିଘାଟ ଲିଜ ନ ହୋଇଥିଲେ ସୁଦ୍ଧା ପ୍ରତିଦିନ ବେଆଇନ ଭାବେ ଟ୍ରାକ୍ଟର ଯୋଗେ ବାଲି ଉଠାଣ କରାଯାଉଛି । ବର୍ଷ ବର୍ଷ ଧରି ଏହି ବାଲିଘାଟ ରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିଲେ ସୁଦ୍ଧା ନା ରାଜସ୍ୱ ବିଭାଗ ନା ଲଘୁଖଣି ବିଭାଗ ,କେହି ଧରପଗଡ଼ କରୁନାହାନ୍ତି । ବିଭାଗୀୟ ଅଧିକାରୀ ମାନେ ଓ ନିର୍ବାଚିତ ପ୍ରତିନିଧି ବୋଲି ସାତଖୁଣ ମାଫ କରିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସ୍ଥିତ ହାତୀ ନଦୀର ବାଲିଘାଟ ରେ ପ୍ରତିଦିନ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରାଯାଏ । ଏହି ବାଲିକୁ ଜଣେ ନିର୍ବାଚିତ ପ୍ରତିନିଧି ଓ ତାଙ୍କ ସାଙ୍ଗ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ଚାଲାଣ କରି ମୋଟା ରକମର ଅର୍ଥ ଉପାର୍ଜନ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେହେତୁ ଏହି ଦବଙ୍ଗ ବାଲି ମାଫିଆ ଏକାଧାରରେ ନିର୍ବାଚିତ ପ୍ରତିନିଧି ଓ ଜଣେ ଶାସକ ଦଳ ନେତା ଙ୍କ ଏକାନ୍ତ ଅନୁଗତ ତେଣୁ ଅଧିକାରୀ ମାନେ ଧରପଗଡ଼ କରନ୍ତି ନାହିଁ । ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଥିବା ବେଳେ ଏହି ଟଙ୍କା ମାଫିଆ ଓ ଆସାଧୁ କର୍ମଚାରୀ ମାନଙ୍କ ପକେଟ କୁ ଯାଉଛି । ଗ୍ରାମବାସୀ ମାନେ ବ୍ଲକ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଶାସକ ଦଳ ର ନେତା ଙ୍କ ଆଶୀର୍ବାଦ ଯୋଗୁଁ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ଏହି ବାଲି ଚୋରାଚାଲାଣ ଆଜିର ନୁହେଁ କି କାଲିର ନୁହେଁ ।ଏହା ବର୍ଷ ବର୍ଷ ଧରି ଏଭଳି ରାଜସ୍ବ ବିଭାଗ ନାକ ତଳେ ଚାଲିଛି । ଚିଲଗୁଡାରେ ରାଜସ୍ୱ ନିରୀକ୍ଷକ ମଧ୍ୟ ଅଛନ୍ତି ।ହେଲେ ନୋ ଆକସନ ନୋ ରିଆକସନ ମୁଡରେ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହା ଫଳରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ଥାନୀୟ ପ୍ରଶାସନ ଚିଲଗୁଡା ବାଲିଘାଟ ରୁ ଚୋରାଚାଲାଣ କରୁଥିବା ସମ୍ପୃକ୍ତ ବ୍ୟକ୍ତି ବିଶେଷ ଉପରେ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।