Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିଷ୍ଟ କଳାକାର ନକୁଳ ପଧାନଙ୍କ ଦ୍ୱାଦଶାହ କାର୍ଯ୍ୟ ସମ୍ପନ୍ନ

ଝାରସୁଗୁଡା ୨୪/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଲସଦା ଗ୍ରାମର ବିଶିଷ୍ଟ ରାମଲୀଳା କଳାକାର ସ୍ବର୍ଗତ ନକୁଳ ପଧାନ ଙ୍କ ଦ୍ୱାଦଶାହ କାର୍ଯ୍ୟ ଶନିବାର ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇ ଯାଇଛି ।
ପଲସଦା ଗ୍ରାମର ଭାଗବତ ବାଣୀ ପ୍ରଚାରକ ଜଗଦୀଶ ପ୍ରସାଦ ମିଶ୍ରଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ୧୯୨୫ ମସିହାରେ ପଲସଦା ଗ୍ରାମରେ ସ୍ୱର୍ଗତ ନକୁଳ ପଧାନ ଜନ୍ମ ଗ୍ରହଣ କରିଥିଲେ । ସେ ଅଞ୍ଚଳରେ ଜଣେ ବିଶିଷ୍ଟ କଳାପ୍ରେମୀ ତଥା ନାଟକ ପ୍ରେମୀ ବ୍ୟକ୍ତିତ୍ବ ର ଅଧିକାରୀ ଥିଲେ । ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ମୁରା, ରମ୍ପାଲୁଗା, ରମ୍ପେଲା, ପଦମପୁର ଏପରିକି ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଅଞ୍ଚଳରେ ରାମଲୀଳା ନାଟକରେ ଶ୍ରୀ ରାମଙ୍କ ଭୂମିକା ରେ ଅଭିନୟ କରି ବେଶ ଲୋକ ପ୍ରିୟତା ହାସଲ କରିଥିଲେ । ଏହା ସହିତ ସେ ସମୟର ଛତିଶଗଡ଼ ରାୟଗଡ଼ ରାଜା ସ୍ବର୍ଗତ ଚକ୍ରଧର ସିଂହ ତାଙ୍କ ନିଖୁଣ ଅଭିନୟ ରେ ମୁଗ୍ଧ ହୋଇ ସମ୍ବର୍ଦ୍ଧିତ କରିଥିଲେ । ସ୍ବର୍ଗତ ଶ୍ରୀ ପଧାନ କେବଳ ମଞ୍ଚ କଳାକାର ରେ ସୀମିତ ନ ଥିଲେ । ସେ ଜଣେ ସୁନାମଧନ୍ୟ ମୃଦଙ୍ଗ ବାଦକ ସହ ସଙ୍ଗୀତ, ସଞ୍ଚାର, ଭାଗବତ, ପୁରାଣ,ବିରାଟ ପାଠ ଆଦିରେ ମଧ୍ୟ ଧୁରନ୍ଧର ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହେଉଥିବା ଭାଗବତ ବାଣୀ ପ୍ରଚାରକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ ଯୋଗୁଁ ଅଞ୍ଚଳବାସୀ ଜଣେ ବିଶିଷ୍ଟ କଳାକାରଙ୍କୁ ହରାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ପଲସଦା ଗ୍ରାମରେ ଆଜି ଅନୁଷ୍ଠିତ ହୋଇଥିବା ସ୍ବର୍ଗତ ଶ୍ରୀ ପଧାନଙ୍କ ଦ୍ୱାଦଶାହ କାର୍ଯ୍ୟ ଅବସରରେ ଅଞ୍ଚଳର ବିଶିଷ୍ଟ କଳାକାର,ଗଣ୍ୟମାନ୍ୟ ବ୍ୟକ୍ତି, ବନ୍ଧୁ ପରିଜନ ଏବଂ ପଲସଦା ଗ୍ରାମବାସୀ ଯୋଗଦାନ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସ୍ୱାନ୍ତନା ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ