ଗଣେଶ ପୂଜାର ଷଷ୍ଠ ଦିନରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଦେବଗଡର ଜିଲ୍ଲାର ପ୍ରସିଦ୍ଧ ଗଣେଶ ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଆଜି ପୂଜାର ଷଷ୍ଠ ଦିନରେ ମଧ୍ୟ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଗଣେଶ ପୂଜା ଅବସରରେ କରାଯାଇଥିବା ମୁଖ୍ୟତୋରଣରେ କମିଟୀ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହାପରେ ଶ୍ରୀ ପ୍ରଧାନ ପୂଜା ମଣ୍ଡପରେ ମହାପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଳତୀ କରିବାପରେ କମିଟୀ ପକ୍ଷରୁ ମଣ୍ଡପ ଚତୁଃପାର୍ଶରେ କରାଯାଇଥିବା ପୌରାଣିକ ଏବଂ ସାମାଜିକ ଚେତନା ଭରା କଳାକୁଞ୍ଜ ବୁଲି ଦେଖିଥିଲେ । ଦେବଗଡ ଗଣେଶ ପୂଜା ୭୫ ବର୍ଷରେ ପଦାର୍ପଣ କରିଥିବା ହେତୁ ୩୩ ଜଣ ମହିଳାମାନଙ୍କ ଦ୍ବାରା ୭୫ଟି ଦ୍ବୀପ ପ୍ରଜ୍ଜଳନ କରାଯିବା ସହିତ ଗଣେଶଙ୍କ ଆଳତୀ ପ୍ରଦାନ କରାଯାଇଥିଲ।। ସ୍ଥାନୀୟ ଗୋପବନ୍ଧୁ ଛକର ସାଂସ୍କୃତିକ ମଣ୍ଡପରେ କମିଟୀର ସଭାପତି ଶମ୍ଭନାଥ ଗୋଏଲଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇ ସର୍ବଧର୍ମ ସମନ୍ୱୟର ପର୍ବ ଦେବଗଡର ସାର୍ବଜନୀନ ଗଣେଶ ପୂଜା ବେଶ ନିଆରା ବୋଲି କହିବା ସହିତ ଓଡ଼ିଶାର ଇତିହାସ ଓ ଦେଶ ସ୍ବତନ୍ତ୍ରତା ସଂଗ୍ରାମରେ ଦେବଗଡ଼ର ବିଶେଷ ସ୍ଥାନ ଅଛି । ଭାଷାଭିଭିରେ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶଗଠନ କରିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ । ଓଡ଼ିଆସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ କାରଣରୁ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ବିଶେଷ କରି ଦେବଗଡର ଗଣେଶ ପୂଜାର ୭୫ ବର୍ଷ ଅବସରରେ ଜିଲ୍ଲାବାସୀଙ୍କୁ ଶୁଭେଛା ଜଣାଇବା ସହିତ ଯେଉଁ ବ୍ୟକ୍ତି ମାନେ ଉକ୍ତ ‌ଗଣେଶ ପୂଜା ଆରମ୍ଭ କରିଥିଲେ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଜିଲ୍ଲାରେ ବାରକୋଟ ରୁ ଝାରସୁଗୁଡା ପର୍ଯ୍ୟନ୍ତ ଏକ ନୂତନ ରେଳ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି । ଉକ୍ତ ରେଳ ପ୍ରକଳ୍ପ ହେଲେ ଦେବଗଡ ଜିଲ୍ଲା ଏକ ବିକଶିତ ଜିଲ୍ଲାରେ ପରିଣତ ହେବ ଏବଂ ଦେବଗଡ ଜିଲ୍ଲାକୁ ଏକ ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ । ଏହାପରେ କ୍ରୀଡାବିତ ନିଶା ବାରିକଙ୍କୁ ମୁଖ୍ୟଅତିଥି ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ । ଗଣେଶ ମେଳା କମିଟୀର ପୂର୍ବତନ ସଭାପତିମାନଙ୍କୁ ମୁଖ୍ୟଅତିଥି ସମ୍ମାନିତ କରିଥିଲେ । ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ମୁକେଶ ମହାଲିଙ୍ଗ, ବିଜେପି ରାଜ୍ୟ ଉପସଭାପତି ରବି ନାରାୟଣ ନାୟକ, ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ବିଜେପି ନେତା ଅଗସ୍ତୀ ବେହେରା ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଅନ୍ୟମା‌ନଙ୍କ ମଧ୍ୟରେ କମିଟୀର ଉପସଭାପତି ଅରୁଣ ଗୋଏଲ, ସୁଶୀଲ ‌ଭୋଇ, ସଂପାଦକ ଶୁକଦେବ ଭଞ୍ଜ, ସହ ସଂପାଦକ ବିରେନ ନାୟକ, ଆନନ୍ଦ କପରଦାର, ଅନନ୍ତ ଦାଶ, କୋଷାଧ୍ୟକ୍ଷ ଅଜୟ ମିଶ୍ର, ସହ କୋଷାଧ୍ୟକ୍ଷ ସୁଧୀର ପାତ୍ର, ଆଲୋକ ସୌରଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜନ୍ମ‌ାଜୟ ନାୟକ ପରିଚାଳନା କରିଥିଲେ । ପ୍ରଧାନପାଟସ୍ଥିତ ବଡବଗିଚା‌ଠାରେ ଟିକେଟ ସୋ ଅପେରା ଏବଂ ଗୋପାଳଜୀୟ ମନ୍ଦିର ପ୍ରାଙ୍ଗଣରେ ଫ୍ରି ସୋ ଅପେରା ଅନୁଷ୍ଠିତ ହୋଇଥିଲା । ମୀନାବଜାର , ଦୋଳି, ମୋତକା କୁଆଁ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଲେ ଶ୍ରଦ୍ଧାଳୁ ।