ମଦ୍ୟପ ପୁଅ ମାଡ଼ରେ ଚାଲିଗଲା ମାଆ ଜୀବନ


ଦେବଗଡ଼: ମାଆକୁ ମାରି ଦେଲା ମଦ୍ୟପ ପୁଅ । ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡକଙ୍କରଖୋଳ ଗାଁରେ । ପୋଲିସ ଅଭିଯୁକ୍ତ ପୁଅ ଦୁଃଶାସନଙ୍କୁ ଅଟକ ରଖିଛି । ତେବେ ମୃତ୍ୟୁର ୨୦ ଘଣ୍ଟା ବିତି ଯାଇଥିଲେ ବି ଘରେ ପଡ଼ି ରହିଛି ଶବ । ସାଇଣ୍ଟିଫିକ୍ ଟିମ୍ ଆସି ନଥିବାରୁ ବୃଦ୍ଧାଙ୍କ ମୃତଦେହ ପଡ଼ି ରହିଛି ।

ଗତକାଲି ଦିନ ପ୍ରାୟ ୧ଟା ସମୟରେ ପୁଅ ମଦ ପିଇ ଘରକୁ ଫେରିଥିଲା । କୌଣସି କଥାକୁ ନେଇ ମାଆପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପୁଅ ଉତ୍ତ୍ୟକ୍ତ ହୋଇ ମାଆକୁ କାଠ ଫାଳିଆରେ ମାଡ଼ ମାରି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସନ୍ଧ୍ୟାରେ ଘଟଣା ସଂପର୍କରେ ପଡ଼ୋଶୀ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହ ଘଟଣା ସଂପର୍କରେ ପଚରାଉଚରା କରିଛି । ହେଲେ ଏବେ ସୁଦ୍ଧା ବୃଦ୍ଧାଙ୍କର ଶବ ସତ୍କାର ହୋଇପାରି ନାହିଁ । କାଲିଠୁ ବୃଦ୍ଧଙ୍କ ମୃତଦେହ ଘର ବାହାରେ ପଡ଼ିରହିଛି ।