ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ଆତଙ୍କ: ଠେଲାପେଲା କଲେ, କାର ଅଟକାଇ ବାଟ ରୋକିଲେ


ଦେବଗଡ଼: ବାରକୋଟ ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷାଙ୍କ ଆତଙ୍କରାଜ । ବ୍ଲକ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିବା ଅଭିଯୋଗ । ଏପରିକି ଅଭିଯୋଗ ପାଇଁ ଥାନାକୁ ଯିବା ବେଳେ ବ୍ଲକ କାର୍ଯ୍ୟାଳୟ ଆଗରେ କାର ରଖି ବାଟ ଅବରୋଧ କରିଥିଲେ । ଯାହାକୁ ନେଇ ବ୍ଲକ ଅଫିସ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ହେଲେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତନଚନ୍ଦ୍ର ପାତ୍ର । ଗତ ରାତିରେ ବ୍ଲକର ମୁଖ୍ୟ ଗେଟ ସମ୍ମୁଖରେ ନିଜ କାର୍‌ ରଖି ଅଫିସ ରାସ୍ତା ଅବରୋଧ କରିଥିବା ଅଭିଯୋଗ ହୋଇଥିଲା । ତେବେ ସମସ୍ତ ଅଭିଯୋଗକୁ ମିଛ ବୋଲି କହି ଖଣ୍ଡନ କରିଛନ୍ତି ତନଚନ୍ଦ୍ର । କାର୍‌ରେ ହଠାତ୍‌ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେଠାରେ ଅଟକି ଯାଇଥିବା ସେ କହିଛନ୍ତି । ଏପରିକି କାରଟି ତାଙ୍କ ଗାଡ଼ି ନୁହେଁ, ସେ ଅନ୍ୟ ଗାଡ଼ିରେ ଆସିଥିବା କହିଛନ୍ତି ।

ବାରକୋଟ ବିଡିଓ ସ୍ମୃତିରଞ୍ଜନ କହିଛନ୍ତି, ଗତକାଲି କନଫରେନ୍ସିଂ ହଲରେ ବୈଠକ ଚାଲିଥିଲା । ସେଠାରୁ ଅଧିକାରୀମାନେ ବାହାରିବା ସମୟରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ପହଞ୍ଚି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ । ଏନେଇ ଥାନାରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଅଭିଯୋଗ କରାଯାଇଥିଲା । ଏହାପରେ କର୍ମଚାରୀମାନେ ଥାନାରେ ଅଭିଯୋଗ କରିବାକୁ ବାହାରିଥିଲେ, ହେଲେ ଜନଚନ୍ଦ୍ର ଜାଣିଶୁଣି ଗେଟ୍‌ ସମ୍ମୁଖରେ ଗାଡ଼ି ରଖି ଦେଇଥିଲେ ବୋଲି ବିଡିଓ କହିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଜଣାଇଥିବା ବେଳେ ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।