Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ ଦଳରେ ପରିବର୍ତ୍ତନ ପାଇଁ ଆଜି ଶେଷ ଦିନ, କ’ଣ ଭାରତୀୟ ଦଳରେ ସ୍ଥାନ ପାଇବେ ଅଶ୍ଵିନ ?

ନୂଆଦିଲ୍ଲୀ: ଆଜି ବିଶ୍ଵକପ୍ ଦଳରେ ପରିବର୍ତ୍ତନ କରିବାର ଶେଷ ଦିନ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ୧୫ ଜଣିଆ ବିଶ୍ଵକପ୍ ଦଳର ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ଦେବାକୁ ଶେଷ ତାରିଖ ସେପ୍ଟେମ୍ବର ୨୮ ରହିଛି। ଅର୍ଥାତ ଆଜି ବିଶ୍ଵକପରେ ଭାଗ ନେଉଥିବା ଯେ କୌଣସି ଦଳ ନିକଟରେ ବିଶ୍ଵକପ୍ ପାଇଁ ନିଜର ଘୋଷିତ ଦଳରେ ପରିବର୍ତ୍ତନ କରିବାର ଶେଷ ସୁଯୋଗ ରହିଛି। ଭାରତୀୟ ଦଳରେ ଏବେ ସଭିଙ୍କ ନଜର ରବିଚନ୍ଦ୍ରନ ଅଶ୍ଵିନ ଓ ଅକ୍ଷର ପଟେଲଙ୍କ ଉପରେ ରହିଛି। ଅକ୍ଷର ପଟେଲ୍ ଆହତସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅକ୍ଷରଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଦଳରେ ସାମିଲ୍ କରାଯାଇଥିଲା।

ଅକ୍ଷର ପଟେଲ୍ ଭାରତୀୟ ବିଶ୍ଵକପ୍ ଦଳର ସଦସ୍ୟ ମଧ୍ୟ ଅଛନ୍ତି। ମାତ୍ର ଆହତ ସମସ୍ୟା ଦେଇ ସେ ଗତି କରୁଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରବିଚନ୍ଦ୍ରନ ଅଶ୍ଵିନ ଦମଦାର ପ୍ରଦର୍ଶନ କରିଛନ୍ତି। ସେମିତିରେ ଘୋଷିତ ଭାରତୀୟ ଦଳରେ କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲଙ୍କ ଭାବେ ତିନି ଜଣ ବାମହାତୀ ସ୍ପିନର ଅଛନ୍ତି। ଦଳରେ ଜଣେ ହେଲେ ଅଫ ସ୍ପିନର ନାହାନ୍ତି। ଏହି କାରଣରୁ ବିଶ୍ଵକପ୍ ପାଇଁ ଅଶ୍ଵିନଙ୍କ ଗୁରୁତ୍ଵ ଆହୁରି ବଢି ଯାଇଛି।

ରବିଚନ୍ଦ୍ରନ ଅଶ୍ଵିନ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଛନ୍ତି। ପ୍ରଥମ ମ୍ୟାଚରେ ୧୦ ଓଭରରେ ୪୭ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଇନ୍ଦୋରରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ୭ ଓଭର ବୋଲିଂ କରି ୪୧ ରନ ବ୍ୟୟ କରିଥିଲେ ହେଁ ୩ ଓ୍ଵିକେଟ୍ ନେଇଥିଲେ। ବ୍ୟାଟିଂ ଉପଯୋଗୀ ପିଚକୁ ସେ ଟେଷ୍ଟ ମ୍ୟାଚରେ ପରିଣତ କରିଥିଲେ। ତାଙ୍କ ବୋଲିଂକୁ ବୁଝି ପାରିନ ଥିଲେ ଅଷ୍ଟ୍ରେଲିଆ ବ୍ୟାଟର। ବିଶେଷ କରି ବାମହାତୀ ବ୍ୟାଟର ଅଶ୍ଵିନଙ୍କ ବୋଲିଂର ସମ୍ମୁଖୀନ ହେବା କଷ୍ଟସାଧ୍ୟ ହୋଇଥାଏ। ତେଣୁ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ବିଶ୍ଵକପ୍ ଦଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଯଦି ତାଙ୍କୁ ବିଶ୍ଵକପ୍ ଦଳରେ ସାମିଲ୍ କରାଯାଏ ତେବେ କେଉଁ ଖେଳାଳିଙ୍କୁ ବାଦ୍ ଦିଆଯିବ ତାହା ସବୁଠୁ ବଡ଼ ପ୍ରଶ୍ନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ