Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Naveen Patnaik Missing poster: ନବୀନଙ୍କ ନିଖୋଜ ପୋଷ୍ଟରକୁ ନେଇ ହିଞ୍ଜିଳିରେ ହଙ୍ଗାମା, ବିଜେପି-ବିଜେଡି ମୁହାଁମୁହିଁ

ହିଞ୍ଜିଳି: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିଖୋଜ ପୋଷ୍ଟର ଲଗାଯାଇଥିବା ଘଟଣାକୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ନବୀନ ନିଜ ନିର୍ବାଚନମଣ୍ଡଳୀକୁ ନଆସିବାରୁ ଏଭଳି ପୋଷ୍ଟର ଲଗାଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ପୋଷ୍ଟର କିଏ ଲଗାଇଛି ଏବଂ ଏହା ପଛରେ କାହାର ଉଦ୍ଦେଶ୍ୟ ରହିଛି, ତାହା ସ୍ପଷ୍ଟ ହୋଇନାହିଁ।

ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ନବୀନଙ୍କୁ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅନୁସାରେ, ବିପଦ ସମୟରେ ହିଞ୍ଜିଳିବାସୀ ନିଜ ବିଧାୟକଙ୍କୁ ଖୋଜି ପୋଷ୍ଟର ଲଗାଇଥିଲେ, ସେଥିରେ ଭୁଲ୍‌ କ’ଣ ରହିଲା? ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ହେଲିକପ୍ଟରରେ ଯାଉଥିଲେ, ଏବେ ନିଜ ନିର୍ବାଚନମଣ୍ଡଳୀକୁ ଯିବାରେ ଆଗ୍ରହ କାହିଁକି ଦେଖାଉନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହାର ଜବାବରେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, ନବୀନ କ୍ଷମତାରେ ଥିବାବେଳେ ବିପତ୍ତି ସମୟରେ ଲୋକଙ୍କୁ ସହାୟତା ପହଞ୍ଚାଇବା ଉପରେ ଧ୍ୟାନ ଦେଉଥିଲେ।

ଚିନ୍ମୟ ସାହୁଙ୍କ କହିବା ଅନୁସାରେ, ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳକୁ ନବୀନ ନିଜେ ନଯାଇଥିଲେ ମଧ୍ୟ ବରିଷ୍ଠ ନେତାମାନଙ୍କୁ ପଠାଇଥିଲେ। ଯୁବ ବିଜେଡି ନେତାମାନେ ମଧ୍ୟ ଗାଁକୁ ଗାଁ ବୁଲି କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରି ନବୀନଙ୍କୁ ଜଣାଇଥିବା ସେ କହିଛନ୍ତି। ନବୀନ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଥିବା ମଧ୍ୟ ସେ କହିଛନ୍ତି । ଏବେ ଏହି ପ୍ରସଙ୍ଗକୁ ନେଇ ଉଭୟ ଦଳର ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories