Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟାଇଫସ ସଂକ୍ରମଣ:ଓଡିଶାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୪ ଜଣିଆ ଟିମ

ସମ୍ବଲପୁର:ଓଡ଼ିଶାରେ ବ୍ୟାପୁଥିବା ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ କେନ୍ଦ୍ରୀୟ ମେଡିକାଲ୍ ଟିମ୍ ଓଡ଼ିଶା ଆସି ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତ୍ୱରିତ ପଦକ୍ଷେପ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଗତ ୨୨ ତାରିଖରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଚିନ୍ତାବ୍ୟକ୍ତ କରିଥିଲେ । ଓଡ଼ିଶା ବିଶେଷ ଭାବରେ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ବୃଦ୍ଧିକୁ ରୋକିବା ସହ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଯଥାଶୀଘ୍ର ରାଜ୍ୟକୁ ଏକ କେନ୍ଦ୍ରୀୟ ମେଡିକାଲ ଟିମ୍ ପଠାଇବା ପାଇଁ ଅନୁରୋଧ କରିଥିଲେ ।
ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଗତ ସେପ୍ଚେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍କ୍ରବ ଟାଇଫସ ସଂକ୍ରମଣ ଯୋଗୁଁ କିଛି ଲୋକମାନେ ମୃତ୍ୟୁବରଣ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ବରଗଡ଼ ଓ ସୁନ୍ଦରଗଡ ଜିଲ୍ଲାରେ ସ୍ଥିତି ଅଣାୟତ ହୋଇଛି । ଏକାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଭିମସାରରେ ଚିକିତ୍ସିତ ହେଉଛନ୍ତି । ସୁନ୍ଦରଗଡ଼ରେ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଭାବିତ ଅଞ୍ଚଳରେ ଏହି ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ମେଡିକାଲ ସହାୟତା ଯୋଗାଇଦେବାର ନିତ୍ୟାନ୍ତ ଆବଶ୍ୟକ ରହିଛି । ଏହି ସଂକ୍ରମିତ ରୋଗର ନିରାକରଣ ପାଇଁ ଚିକିତ୍ସା କରୁଥିବା ଅଭିଜ୍ଞ ଡାକ୍ତରୀ ଦଳକୁ ଓଡ଼ିଶାକୁ ଶୀଘ୍ର ପଠାଇବା ଦିଗରେ ବିହିତ ପଦକ୍ଷେପ ନିଆଯାଉ । ଏହାବ୍ୟତିତ ଔଷଧ ଯୋଗାଣ ସହ ସଚେତନତା ସୃଷ୍ଟି କରିବା ପାଇଁ ଅତିରିକ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ ।
ଏହି ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜନ ସ୍ୱାସ୍ଥ୍ୟ ଲାବରୋଟୋରୀ ଗୁଡିକରେ ଏଲିସା ପରୀକ୍ଷା କରାଇବା ପାଇଁ ପ୍ରସ୍ତୁତି ଜରୁରୀ । ଏହି ଡାକ୍ତରୀ ଦଳ ରାଜ୍ୟ ଓ ସ୍ଥାନୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହ ସମନ୍ୱୟ ରଖି ମିଳିତ ଭାବରେ କାର୍ଯ୍ୟ କଲେ ଏହି ସଂକ୍ରମଣକୁ ରୋକାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ।ଓଡ଼ିଶାରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମର ସଦସ୍ୟମାନେ ଗତକାଲି ଝାରସୁଗୁଡାରେ ପହଞ୍ଚିଛନ୍ତି । ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମରେ ଡା. ସମୀର ଗୁଲାଟି, ପ୍ରଫେସର, ମେଡିସିନ, ଏଲଏଚଏମସି ଏବଂ ଏସଏସକେଏଚ୍, ନୂଆଦିଲ୍ଲୀ, ଡକ୍ଟର ତୁଷାର ନାଲେ, ଡେପୁଟି ଡାରେକ୍ଟର (ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ), ସେଣ୍ଟର ଫର୍ ଓ୍ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ,ଡାକ୍ତର ଧରା ବି ଶାହ, ଆସିଷ୍ଟାଣ୍ଟ ଡାରେକ୍ଟର (ମାଇକ୍ରୋବାୟୋଲୋଜି), ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ, ଦିଲ୍ଲୀ ଓ ଡା. ଆରୁଷି ଘାଇ, ଇଆଇଏସ ଅଫିସର, ଆଇଡିଏସପି, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ, ଦିଲ୍ଲୀ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ