୪ ଜିଲ୍ଲାର ପ୍ରମୁଖ ପେଣ୍ଠସ୍ଥଳୀ ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚରମ ଅବ୍ୟବସ୍ଥା: ଡାକ୍ତର-ଫାର୍ମାସିଷ୍ଟ ନାହାନ୍ତି, ହେଲ୍ଥ ୱାର୍କରଙ୍କ ଭରସାରେ ଚାଲିଛି ଚିକିତ୍ସା; ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ; ସମାଧାନ ବଦଳରେ ଅଧିକାରୀଙ୍କ ଦାୟିତ୍ୱହୀନ ଯୁକ୍ତିତର୍କ
ଜମନକିରା : ସରକାର ସମସ୍ତଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଗ୍ରାମାଞ୍ଚଳ ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଏବଂ ଝାରସୁଗୁଡ଼ା— ଏହି ଚାରୋଟି ଜିଲ୍ଲାର ଏକ ପ୍ରମୁଖ ପେଣ୍ଠସ୍ଥଳୀ ତଥା ଯୋଗାଯୋଗର କେନ୍ଦ୍ରବିନ୍ଦୁ ପାଲଟିଥିବା ଜମନକିରା ବ୍ଲକ ସଦର ମହକୁମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର) ଏବେ ଅବ୍ୟବସ୍ଥା ଓ ଅବହେଳାର ଚରମ ନମୁନା ପାଲଟିଛି। ଦୀର୍ଘ ୭ ମାସ ଧରି ଏଠାରେ ନା ଅଛନ୍ତି ଡାକ୍ତର, ନା ଅଛନ୍ତି ଔଷଧ ଦେବା ପାଇଁ ଫାର୍ମାସିଷ୍ଟ। ସବୁଠାରୁ ଭୟଙ୍କର କଥା ହେଉଛି, ବିଭାଗ ପକ୍ଷରୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବା ହେଲ୍ଥ ୱର୍କରଙ୍କ ଦ୍ୱାରା ରୋଗୀ ଚିକିତ୍ସା କରାଯାଉଛି। ଲୋକଙ୍କ ଜୀବନ ସହ ଏଭଳି ଖୋଲାଖୋଲି ଖେଳ ଖେଳା ଯାଉଥିଲେ ହେଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ବସିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଜମନକିରା ହେଉଛି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଓ ପ୍ରଶାସନିକ କେନ୍ଦ୍ର। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ସୀମାନ୍ତ ଅଞ୍ଚଳର ଏହା ପ୍ରମୁଖ ପେଣ୍ଠସ୍ଥଳୀ ହୋଇଥିବାରୁ ପ୍ରତ୍ୟହ ଏଠାକୁ ବିଭିନ୍ନ ବ୍ଲକ କାର୍ଯ୍ୟାଳୟ, ତହସିଲ, ବ୍ୟାଙ୍କ ତଥା ଅନ୍ୟାନ୍ୟ ସରକାରୀ-ବେସରକାରୀ କାମରେ ଶହ ଶହ ଲୋକ ଓ ଦୂରଦୂରାନ୍ତର ଯାତ୍ରୀ ଯାତାୟାତ କରିଥାନ୍ତି। ହଠାତ୍ କାହାର ଦେହ ଖରାପ ହେଲେ କିମ୍ବା ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ପଡ଼ିଲେ ଏହି ସଦର ମହକୁମା ଡାକ୍ତରଖାନା ହିଁ ସମସ୍ତଙ୍କର ଏକମାତ୍ର ଭରସା। ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୫ ମାସ ହେଲା ଜଣେ ହେଲେ ବି ରେଗୁଲାର ଏମବିବିଏସ ଡାକ୍ତର କିମ୍ବା ଫାର୍ମାସିଷ୍ଟ ନାହାନ୍ତି। ଫଳରେ ଗରିବ ଖଟିଖିଆ ଜନସାଧାରଣ ଓ ଅସହାୟ ରୋଗୀମାନେ ବାଧ୍ୟ ହୋଇ ଦୂର ସହରର ଘରୋଇ କ୍ଲିନିକ୍ କିମ୍ବା ନର୍ସିଂହୋମକୁ ଯାଇ ପ୍ରବଳ ଆର୍ଥିକ ଶୋଷଣ ତଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ି ବାନ୍ଧି ଅପେକ୍ଷା କରୁଛନ୍ତି। କିନ୍ତୁ ସେମାନଙ୍କୁ ଦେଖିବା ପାଇଁ କୌଣସି ବିଧିବଦ୍ଧ ତାଲିମପ୍ରାପ୍ତ ଡାକ୍ତର ନଥିବାରୁ ଏକ ହେଲ୍ଥ ୱର୍କର ଡାକ୍ତରଙ୍କ ଆସନରେ ବସି ରୋଗ ପରୀକ୍ଷା କରିବା ସହ ପ୍ରେସକ୍ରିପସନ ଲେଖି ଔଷଧ ବିତରଣ କରୁଛନ୍ତି। ଚିକିତ୍ସା ବିଜ୍ଞାନର ସାଧାରଣ ଜ୍ଞାନ ବିନା ଏଭଳି ଔଷଧ ବଣ୍ଟନ ଯୋଗୁଁ ଯଦି କାହାର ପ୍ରାଣହାନି ଘଟେ, ତେବେ ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ ଉଠୁଛି। ସମାଧାନ ପରିବର୍ତ୍ତେ ଅଧିକାରୀଙ୍କ ଦାୟିତ୍ୱହୀନ ଯୁକ୍ତିତର୍କ କରୁଛନ୍ତି। ଏହି ଚରମ ଦୁରାବସ୍ଥା ନେଇ ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳମାଧବ ଶତପଥୀ ଏବଂ ଫସିମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଡା. ହରିଶ୍ଚନ୍ଦ୍ର ବାଘଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଅବିଳମ୍ବେ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ଦେଇ ସମସ୍ୟାର ସମାଧାନ କରିବା ବଦଳରେ, ଉଭୟ ଉଚ୍ଚପଦସ୍ଥ ଅଧିକାରୀ ଓଲଟା ଯୁକ୍ତିତର୍କ କରି ନିଜର ଦାୟିତ୍ୱହୀନତାକୁ ପ୍ରମାଣିତ କରିଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ଅଧିକାରୀଙ୍କ ଏଭଳି ଅହଂକାରପୂର୍ଣ୍ଣ ବ୍ୟବହାର ଜନଅସନ୍ତୋଷକୁ ଆହୁରି ତେଜିଛି।ଚାରୋଟି ଜିଲ୍ଲାର ସଂଯୋଗସ୍ଥଳୀରେ ଥିବା ଏହି ଡାକ୍ତରଖାନାରେ ଯଦି ତୁରନ୍ତ ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତ କରାନଯାଏ, ତେବେ ଆଗାମୀ ଦିନରେ ଜମନକିରାବାସୀ ଏକତ୍ରିତ ହୋଇ ରାଜରାସ୍ତା ଅବରୋଧ କରିବା ସହ ସିଡିଏମଓ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।

