କମିରା ରେ ଝାଡ଼ା ବାନ୍ତି ବ୍ୟାପିବା ପରେ ଗ୍ରାମରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ରେ ଝାଡ଼ାବାନ୍ତି ରେ ପ୍ରାୟ ୫୦ ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ ଗଣମାଧ୍ଯମରେ ଏନେଇ ଶନିବାର ଖବର ପ୍ରକାଶନ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ର ଟିମ୍ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହିତ ଚିକିତ୍ସା ମଧ୍ୟ କରିଛନ୍ତି । ଏପରିକି ଡ଼ାକବାଜି ଯନ୍ତ୍ର ବ୍ୟବହାର କରି ଗ୍ରାମର ଲୋକଙ୍କୁ ସଚେତନ କରାଯାଇଛି । ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ ଓ ଏ ଏନ ଏମ ମିଶି ଗ୍ରାମରେ ବ୍ଲିଚିଂ ପାଉଡର ପକାଇଛନ୍ତି । ଗ୍ରାମରେ ଲୋକଙ୍କୁ ଡାକି ଏକ ସଚେତନା ସଭା କରାଯାଇଥିଲା । ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା.ସପ୍ନେଶ୍ୱର ବେହେରା ଙ୍କ ନେତୃତ୍ୱରେ ଆଇଟିଏସପି ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ , ସୁପରଭାଇଜର ପ୍ରମୋଦ ସାହୁ , ପିଏଚଓ ସ୍ୱର୍ଣ୍ଣପ୍ରଭା ଜୁଏଡ , ଏମପିଏଚଏସ ଆଲୋକ ସେଠ୍ , ସ୍ବାସ୍ଥ୍ୟ କର୍ମୀ ବିଶ୍ମିତା ପାତ୍ର ପ୍ରମୁଖ କମିରା ଗ୍ରାମକୁ ଯାଇ ଏକ ସଭା କରିଥିଲେ । ଲୋକଙ୍କୁ ଡ଼ାଇରିଆ ରୋଗ ର କାରଣ ଓ ନିରାକରଣ ପାଇଁ ସଚେତନ କରିଥିଲେ । ପରେ ଗ୍ରାମକୁ ଯୋଗାଣ ହେଉଥିବା ପାନୀୟ ଜଳ ପ୍ରକଳ୍ପ କୁ ଯାଇ ଦେଖିଥିଲେ । ପାଇପ୍ ଫାଟି ଥିବାରୁ ଦୂଷିତ ପାଣି ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଜାଣିବାକୁ ପାଇଥିଲେ । ତେଣୁ ଏହି ପାନୀୟ ଜଳ ଯୋଗାଣ କୁ ବନ୍ଦ କରାଯିବା ସଙ୍ଗେ ଗ୍ରାମର ଜଳ ନମୁନା ସଂଗ୍ରହ କରାଯାଇଥିଲା । ଏବେବି ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ରହି ଥିବା ଦେଖାଯାଏ । ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି , ଆକ୍ରାନ୍ତ ଙ୍କୁ ଚିକିତ୍ସା ଯୋଗାଇ ଦିଆ ଯାଉଛି । ଗ୍ରାମରେ ଏକ ମେଡ଼ିକାଲ ଟିମ୍ ରହିଛନ୍ତି । ଏବେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।