ଭୁବନେଶ୍ଵର: ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ଵର ୫୭ ନମ୍ବର ଓ୍ବାର୍ଡ ବଡ଼ଗଡ଼ରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିଠୁ ବିଜେଡିର ଯାତ୍ରା ଆରମ୍ଭ ହେଲା । ଗାନ୍ଧିଜୀ ଆମକୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି । ଗାନ୍ଧିଜୀଙ୍କ ତାଲିସମାନ ଆମକୁ ବାଟ ଦେଖାଇଛି । ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସଏସଟିଙ୍କ ପାଇଁ କାମ କରୁଛି । ମହିଳା ସଶକ୍ତିକରଣ ଦିଗରେ ଆମେ କାମ କରୁଛୁ । ମହିଳା ଆଇନ ଆମ ବହୁଦିନର ଉଦ୍ୟମ ଥିଲା ତାହା ସଫଳ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗେମ୍ ଚେଞ୍ଜର ହୋଇଛି । ସ୍କୁଲ ରୁପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡା କ୍ଷେତ୍ରରେ ଓଡିଶା ଉଦାହରଣ ସାଜିଛି ।
ଜନସଂପର୍କ ପଦଯାତ୍ରାରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ବିରୋଧୀମାନେ ବିକାଶ ବିରୋଧୀ ଓ ଜନବିରୋଧୀ ଅଟନ୍ତି। ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି। ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ସେମାନଙ୍କର କାମ ହୋଇଛି। ନିର୍ବାଚନ ଅାସିଲେ ସେମାନେ ଏମିତି କାମ କରନ୍ତି। ସେଥିପାଇଁ ସେମାନଙ୍କୁ ଜନତା ସବୁ ବେଳେ ପ୍ରତ୍ୟାଖ୍ୟାନ କରି ଅାସିଛନ୍ତି। ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ବାଧା ଦେବାକୁ ଚେଷ୍ଟା କରିଥିଲେ। ଲୋକେ ତାଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।