ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ଛଟପଟ ହେଉଛନ୍ତି ଯୁବକ ରବିନାରାୟଣ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଗଣ୍ଡପାଲିର ସ୍ବର୍ଗତ ମହାବୀର ଶତପଥୀଙ୍କ ବଡ ପୁଅ ରବିନାରାୟଣ ଶତପଥି (୩୩) ତିନି ବର୍ଷ ହେବ ରୋଗଶଯ୍ୟାରେ ପଡି ଛଟପଟ ହେଉଛନ୍ତି । ତାଙ୍କର ପରିବାର ସଦସ୍ୟ କେହି ନଥିବା ବେଳେ ସାଇ ପଡିଶା ଲୋକ ମିଶି ତାଙ୍କ ଚିକିତ୍ସା ପାଇଁ ବିଭିନ୍ନ ଚିକିତ୍ସାଳୟକୁ ନେଇ ନୟାନ୍ତ ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ବ୍ରେନ ଟୁଇମର ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ରେ ଚିକିତ୍ସl ହେବା ପରେ ତାଙ୍କର କିଛି ଅଂଶ ଦୃଷ୍ଟି ଶକ୍ତି ହରାଇଥିଲେ ‌ । ଗ୍ରାମବାସୀ ଠାରୁ ଧାରକରଜ କରି ସେ ବହୁତ କଷ୍ଟରେ ଚଳୁଥିବା ସ୍ଥାନୀୟ ଲୋକେ କହିଛନ୍ତି । କିଛି ଦିନ ପୂର୍ବରୁ ମେଡିକାଲକୁ ଚିକିତ୍ସା ପାଇଁ ଚାଲି ଚାଲି ଯିବା ସମୟରେ ରାସ୍ତା ଉପରେ ଖସି ପଡି ମେରୁଦଣ୍ଡ ଭାଙ୍ଗି ଯିବା ସହ ପାରାଲିସିସ ରୋଗର ଆକ୍ରାନ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଉଚ୍ଚ ଚିକିତ୍ସା ପାଇଁ ବଡ ଡାକ୍ତରଖାନା କଟକ – ଭୁବନେଶ୍ୱର ନେବା ପାଇଁ ପରାମର୍ଶ ଦେଇଥିଲେ । ତାଙ୍କର ଅର୍ଥ ଅଭାବ ସଙ୍ଗେ ନିଜର ବୋଲି କେହି ନଥିବା ଯୋଗୁଁ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ବାପା ମା କୁ ହରାଇଥିବା ରବିନାରାୟଣ ଏବେ ଶଯ୍ୟାଶାୟୀ ଅବସ୍ଥାରେ ଘରେ ପଡିରହି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଅର୍ଥ ବାଧକ ସାଜିଛି । ତାଙ୍କୁ ଉଚ୍ଚ ଚିକିତ୍ସା ଯୋଗାଇଦେବା ସହ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ କୁ ଗୁହାରି କରନ୍ତି ।