ନୂଆଦିଲ୍ଲୀ: ୫ ରାଜ୍ୟର ନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ। ଭାରତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ରାଜସ୍ଥାନ ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ନଭେମ୍ବର ୭, ରାଜସ୍ଥାନରେ ନଭେମ୍ବର ୨୩, ଛତିଶଗଡ଼ରେ ନଭେମ୍ବର ୭ ଓ ୧୭, ତେଳଙ୍ଗାନାରେ ନଭେମ୍ବର ୩୦ ଓ ମିଜୋରାମରେ ନଭେମ୍ବର ୭ରେ ନିର୍ବାଚନ ହେବ। ସବୁ ରାଜ୍ୟର ଭୋଟ୍ ଗଣତି ଡିସେମ୍ବର ୩ରେ ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ସୋମବାର ଘୋଷଣା କରିଛନ୍ତି।
ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ ଓ ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାରେ ନିର୍ବାଚନ ହେବ। ସମସ୍ତ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ୨୦୨୩ ଡିସେମ୍ବରରୁ ୨୦୨୪ ଜାନୁଆରୀ ମଧ୍ୟରେ ସମାପ୍ତ ହେଉଛି। ମଧ୍ୟ ପ୍ରଦେଶର ବିଧାନସଭା ସିଟ୍ ସଂଖ୍ୟା ୨୩୦ ରହିଛି। ସେହିପରି ରାଜସ୍ଥାନରେ ୨୦୦, ତେଲଙ୍ଗାନାରେ ୧୧୯, ଛତିଶଗଡ଼ରେ ୯୦ ଓ ମିଜୋରାମରେ ୪୦ ବିଧାନସଭା ଆସନ ରହିଛି। ତେବେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଏହି ତିନି ହିନ୍ଦୀ ଭାଷୀ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେବାକୁ ଯାଉଛି।
ରାଜସ୍ଥାନ଼
ରାଜସ୍ଥାନରେ ବର୍ତ୍ତମାନ କଂଗ୍ରେସ କ୍ଷମତାରେ ରହିଛି ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି ଅଶୋକ ଗେହଲଟ। ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ତେବେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ବିଜେପିକୁ ନିର୍ବାଚନ ଜିତିବା ସହଜ ହେବ ନାହିଁ।
ନଭେମ୍ବର ୨୩ ମତଦାନ, ଡିସେମ୍ବର ୩ ଭୋଟ୍ ଗଣତି, ବିଧାନସଭା ସିଟ୍ ସଂଖ୍ୟା ୨୦୦, ବହୁମତ ପାଇଁ ଦରକାର ୧୦୧ ସିଟ୍।
ମଧ୍ୟପ୍ରଦେଶ
ମଧ୍ୟ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଠାରେ ବିଜେପି କ୍ଷମତାରେ ରହିଛି। ବିଜେପି ଓ କଂଗ୍ରେସ ମଧ୍ୟରେ ଏଠାରେ ସିଧାସଳଖ ମୁକାବିଲା ହେବାକୁ ଯାଉଛି। ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏଠାରେ ବିଜେପିର ଆଉ ଏକ ବଡ଼ ଚେହେରା ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ।
ନଭେମ୍ବର ୧୭ରେ ମତଦାନ, ଡିସେମ୍ବର ୩ରେ ଭୋଟ୍ ଗଣତି, ବିଧାନସଭା ସିଟ୍ ସଂଖ୍ୟା ୨୩୦, ବହୁମତ ପାଇଁ ଦରକାର ୧୧୬ ସିଟ୍।
ଛତିଶଗଡ଼
ଛତିଶଗଡ଼ରେ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦମଦାର ବିଜୟ ହାସଲ କରି ୧୫ ବର୍ଷ ଧରି କ୍ଷମତାସୀନ ବିଜେପିକୁ ବେଦଖଲ କରିଥିଲା। ଭୂପେଶ ବଘେଲଙ୍କ ନେତୃତ୍ଵାଧୀନ କଂଗ୍ରେସ ଏଥର ମଧ୍ୟ ସରକାର ଗଢିବାକୁ ଚେଷ୍ଟା ଚଳାଇଛି। ଏଠାରେ ମଧ୍ୟ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେବ।
ନଭେମ୍ବର ୭ ଓ ନଭେମ୍ବର ୧୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ, ଭୋଟ୍ ଗଣତି ଡିସେମ୍ବର ୩, ମୋଟ୍ ସିଟ୍ ୯୦, ବହୁମତ ପାଇଁ ଦରକାର ୪୬ ସିଟ୍।
ତେଲଙ୍ଗାନା
ତେଲଙ୍ଗାନାରେ ୨୦୧୮ ବିଧାନସଭା ନିର୍ବାଚନରେ ତେଲଙ୍ଗାନା ରାଷ୍ଟ୍ର ସମିତି(ଏବେ ଭାରତ ରାଷ୍ଟ୍ର ସମିତି) ବିଜୟ ହାସଲ କରି ସରକାର ଗଠନ କରିଥିଲା। ଏଠାରେ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏଥର ନିର୍ବାଚନରେ ବିଆରଏସ, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇପାରେ।
ନଭେମ୍ବର ୩୦ରେ ମତଦାନ, ଡିସେମ୍ବର ୩ରେ ଭୋଟ୍ ଗଣତି, ମୋଟ୍ ଆସନ ସଂଖ୍ୟା ୧୧୯, ବହୁମତ ପାଇଁ ସିଟ୍ ଦରକାର ୬୦।
ମିଜୋରାମ
ମିଜୋରାମରେ ଗତ ବିଧାନସଭା ନିର୍ବାଚନରେ ୧୦ ବର୍ଷ ଧରି କ୍ଷମତାରେ ବସିଥିବା କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଏଠାରେ ବର୍ତ୍ତମାନ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାରରେ ଅଛି।