Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସେମେଲିଆ ଗ୍ରାମର ବାଳକ ନିଖୋଜ ଘଟଣା

ଝାରସୁଗୁଡା ୧୩/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ସୀମାନ୍ତ ୧୯ ଖଣ୍ଡ ମୌଜା ସେମେଲିଆ ଗ୍ରାମର ଭୀମ ପଧାନଙ୍କ ୧୪ ବର୍ଷର ପୁଅ ଅଭିଷେକ ଗତ ସେପ୍ଟେମ୍ବର ୨୮ ତାରିଖ ଠାରୁ ନିଖୋଜ ଅଛନ୍ତି । କିନ୍ତୁ ନିଖୋଜ ହେବାର ଦୀର୍ଘ ୧୫ ଦିନ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ପୁଲିସ ହାତରେ ସେପରି କୌଣସି ଠୋସ ପ୍ରମାଣ ଲାଗିନାହିଁ । ଯାହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏ ପ୍ରସଙ୍ଗରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସର ତତ୍ପରତା ପ୍ରକାଶ ପାଇଛି ।
ଗୁରୁବାର ଅପରାହ୍ନରେ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ. ପରମାର ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏନ. ସି. ବାରିକ, ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ କଣ୍ଡେଇକେଲା ଫାଣ୍ଡିକୁ ଆସି ରେଙ୍ଗାଲି ଥାନାଧିକାରୀ କମଳ ଲୋଚନ ବେହେରା ଓ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର କିଷାନଙ୍କ ଉପସ୍ଥିତିରେ ନିଖୋଜ ଅଭିଷେକଙ୍କ ସାଙ୍ଗସାଥି ଏବଂ ସେମାନଙ୍କ ବାପା ମାଆଙ୍କୁ ଫାଣ୍ଡିକୁ ଡାକି ଘଟଣା ସମ୍ବନ୍ଧରେ ପଚରା ଉଚରା ଜାରି ରଖିଛନ୍ତି ଏବଂ ଅନେକ ତଥ୍ୟ ହସ୍ତଗତ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
ଏହି ସମୟରେ ନିଖୋଜ ଅଭିଷେକଙ୍କ ବାପା ମାଆ ପରିବାର ଲୋକ ଙ୍କ ସହ ସେମେଲିଆ ଗ୍ରାମବାସୀ ଏବଂ ଅଞ୍ଚଳର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ହିତାକାଂକ୍ଷି ମାନେ ଆସି ଫାଣ୍ଡି ପରିସରରେ ରୁଣ୍ଡ ହୋଇଥିଲେ ଏବଂ ଅଭିଷେକ ନିଖୋଜ ହେବାର ୧୫ ଦିନ ବିତି ଯାଇଥିଲେ ମଧ୍ୟ ଏତେ ଦିନ ଧରି ପୁଲିସ କଣ କରୁଥିଲା ? କେଉଁ କାରଣରୁ ଜିଲ୍ଲା ଉଚ୍ଚ ସ୍ତରୀୟ ପୁଲିସ ଅଧିକାରୀ ମାନେ ତଦନ୍ତ ପାଇଁ ତତ୍ପରତା ପ୍ରକାଶ କରି ନାହାନ୍ତି ? ଅଭିଷେକ କୁ ଠାବ କରିବା ପାଇଁ ଆଉ କେତେ ଦିନ ଲାଗିବ ? ଏତେ ଦିନ ପରେ ଆଜି ତଦନ୍ତ ପାଇଁ ଆସିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏନ. ସି. ବାରିକ ଏବଂ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନଙ୍କୁ ଉପସ୍ଥିତ ଜନ ସାଧାରଣ ଏପରି ଅନେକ ପ୍ରଶ୍ନ କରିଥିଲେ । ଏମାନଙ୍କ ବ୍ୟତୀତ ଲଖନପୁର ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର ମଧ୍ୟ ଉପସ୍ଥିତ ରହି ଏହି ଘଟଣାର ପ୍ରକୃତ ରହସ୍ୟ ଯଦି ସ୍ଥାନୀୟ ପୁଲିସ ଦ୍ୱାରା ଉନ୍ମୋଚନ ହୋଇ ପାରୁନାହିଁ । ତାହେଲେ ସ୍ୱତନ୍ତ୍ର ଦକ୍ଷ ପୁଲିସ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଉ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବି କରିଥିଲେ । ଏହା ବ୍ୟତୀତ ପ୍ରକୃତ ରହସ୍ୟ ପୁଲିସ ପର୍ଦାଫାସ ନ କରିବା ପର୍ଯ୍ୟନ୍ତ ଅଭିଷେକଙ୍କ ବାପା ମାଆ ,ବନ୍ଧୁ ପରିଜନ ଫାଣ୍ଡି ସମ୍ମୁଖରେ ଧାରଣା ଦେବେ ବୋଲି ଜିଦରେ ଅଟଳ ରହିଥିଲେ । ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାରିକ ସେମାନଙ୍କୁ ବୁଝାସୁଝା କରିବା ସହ ଯଥାଶୀଘ୍ର ଘଟଣାର ପର୍ଦାଫାସ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ କ୍ଷାନ୍ତ ହୋଇଥିବା ଜଣାପଡିଛି ।

More Stories