Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହ୍ରାସ ପାଉଛି ଜଳସ୍ତର; ୨୭ ବର୍ଷରେ ଶୁଖିଯିବ ସବୁ ନଦୀ!

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ହ୍ରାସ ପାଇବାକୁ ଯାଉଛି ଭାରତର ବୃହତ ନଦୀର ଜଳସ୍ତର। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ହିମାଳୟ ଗର୍ଭରୁ ବାହାରିଥିବା ପ୍ରମୁଖ ନଦୀ ଯଥା ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ରର ଜଳସ୍ତର ଅତି ଶୀଘ୍ର ହ୍ରାସ ପାଇବ। ଏହି କାରଣରୁ, ୨୦୫୦ ସୁଦ୍ଧା ଭାରତରେ ଜଳ ସଙ୍କଟ ଦେଖାଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ୧୭୦ ରୁ ୨୪୦ କୋଟି ସହରବାସୀ ଏଭଳି ସମସ୍ୟାକୁ ଅଧିକ ମାତ୍ରାରେ ଭୋଗ କରିବେ। ଏହାର କାରଣ ହେଉଛି ତାପମାତ୍ରା ବୃଦ୍ଧି। ତାପମାତ୍ରା ବୃଦ୍ଧି ହେତୁ ହିମାଳୟରେ ଥିବା ଗ୍ଲେସିୟର ବା ହିମଖଣ୍ଡ ତରଳିବ।

ଆଣ୍ଟୋନିଓ ଆହୁରି କହିଛନ୍ତି ଯେ ପୃଥିବୀରେ ଜୀବନ ପାଇଁ ଗ୍ଲେସିୟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ପୃଥିବୀର ୧୦ ପ୍ରତିଶତ ଗ୍ଲେସିୟର ଅଛି। କିନ୍ତୁ ଗ୍ଲୋବାଲ ୱାର୍ମିଂ ହେତୁ ଏଗୁଡିକ ଶୀଘ୍ର ତରଳି ଯାଉଛି। ଆଣ୍ଟାର୍କଟିକାରେ ପ୍ରତିବର୍ଷ ୧୫ ବିଲିୟନ ଟନ୍ ବରଫ ତରଳୁଛି। ଗ୍ରୀନଲ୍ୟାଣ୍ଡରେ ପ୍ରତିବର୍ଷ ୨୭ ବିଲିୟନ ଟନ୍ ବରଫ ତରଳୁଛି।

ଏସିଆରେ ୧୦ ଟି ପ୍ରମୁଖ ନଦୀ ହିମାଳୟରୁ ଉତ୍ପନ୍ନ ହୋଇଛି। ଏଗୁଡିକ ବର୍ତ୍ତମାନ ୧୩୦ କୋଟିରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଉଛି। ଏହାର ସର୍ବାଧିକ ପ୍ରଭାବ ରହିବ ଗଙ୍ଗା, ସିନ୍ଧୁ ଏବଂ ବ୍ରହ୍ମପୁତ୍ର ନଦୀର ଜଳ ସ୍ତର ଉପରେ। ଏହା ବ୍ୟତୀତ ଆଉ ଏକ ବିପଦ ମଧ୍ୟ ରହିଛି ଯେ ଯଦି ଗ୍ଲେସିୟର ଶୀଘ୍ର ତରଳିଯାଏ ତେବେ ପାକିସ୍ତାନ ଏବଂ ଚାଇନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ଗଙ୍ଗା ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥା ପବିତ୍ର ନଦୀ ଭାବରେ ପରିଗଣିତ ହୁଏ। ଏହାର ଲମ୍ବ ୨୫୦୦ କିଲୋମିଟର। ଜୀବିକା ନିର୍ବାହ ପାଇଁ ଏହାର ଜଳ ରାଶି ଉପରେ ଅନେକ ରାଜ୍ୟରେ ପ୍ରାୟ କୋଟି କୋଟି ଲୋକ ନିର୍ଭର କରିଥାନ୍ତି।

ଭାରତୀୟ ହିମାଳୟ ଅଞ୍ଚଳରେ ୯୫୭୫ଟି ଗ୍ଲାସିୟର ଅଛି। ସେଥିମଧ୍ୟରୁ ୯୬୮ଟି ଗ୍ଲାସିୟର କେବଳ ଉତ୍ତରାଖଣ୍ଡରେ ଅଛି। ଗ୍ଲୋବାଲ ୱାର୍ମିଂ ବଢୁଥିବାରୁ ନଦୀଗୁଡିକର ଜଳସ୍ତର ହ୍ରାସ ପାଇବା ସହ ଗ୍ଲାସିୟର୍‌ଗୁଡିକ ମଧ୍ୟ ତରଳୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଆଗକୁ ଦେଶ ପ୍ରତି ବିପଦ ଥିବା କହିଛନ୍ତି ଆଣ୍ଟୋନିଓ ଗୁଟେରସ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ