ଶ୍ରୀନଗରର ନୌଗାମ୍ ପୋଲିସ ଷ୍ଟେସନରେ ବ୍ଲାଷ୍ଟ, ୭ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଏବଂ ଅନେକ ଆହତ
ନୂଆଦିଲ୍ଲୀ, 15।11: ଶ୍ରୀନଗରର ନୌଗାମ୍ ପୋଲିସ ଷ୍ଟେସନରେ ଏକ ବ୍ଲାଷ୍ଟ ହୋଇଛି। ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହିତ ୩୦ ଜଣ ଗଭୀର ଭାବେ ଆହତ ହୋଇଛନ୍ତି। ପୋଲିସ ଷ୍ଟେସନ ଠାରୁ ପ୍ରାୟ ୩୦୦ ଫୁଟ ଦୂରରେ ଖଣ୍ଡ ବିଖଣ୍ଡିତ ମୃତକଙ୍କ ଶରୀରର ଅଂଶ ଗୁଡିକ ପଡିଥିବାର ସୂଚନା ରହିଛି।
ଏହି ବିସ୍ଫୋରଣରେ ପୋଲିସ ଏବଂ ଫରେନସିକ ଟିମର ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଫରିଦାବାଦରୁ ପୋଲିସ ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ବିସ୍ଫୋରକ ସାମଗ୍ରୀକୁ ପୋଲିସ ଷ୍ଟେସନ ଭିତରେ ରଖାଯାଇଥିଲା। ଯାହା ଫଳରେ ବିସ୍ଫୋରଣ ହୋଇଛି। ସୂଚନା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାମଗ୍ରୀ ଗୁଡିକ ସିଲ୍ କରାଯାଉଥିବା ସମୟରେ ହଠାତ୍ ଏହି ବ୍ଲାଷ୍ଟ ହୋଇଥିଲା। ଏଥିରେ ଅନେକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାକୁ ନେଇ ଘଟଣାସ୍ଥଳରେ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ପୂର୍ବରୁ ନୌଗାମ ପୋଲିସ ବଡ଼ ବଡ଼ ଆତଙ୍କୀ ନେଟଓ୍ୱାର୍କର ପର୍ଦ୍ଦାଫାସ କରିଥିଲା। ନିଷ୍ଠାର ସହିତ ଦାୟିତ୍ୱ ତୁଲାଇବା ପାଇଁ ସାରା ଦେଶରେ ଚର୍ଚ୍ଚାରେ ଥିଲା ନୌଗାମ ଥାନା ପୋଲିସ । ବିସ୍ଫୋରଣରେ ଥାନା ସମେତ ପାଖରେ ରହିଥିବା ଅନେକ ଘର ଉଡ଼ିଯାଇଥିବାର ସୂଚନା ରହିଛି।

