Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନଭଣ୍ଡାର ପ୍ରସଙ୍ଗ: ଗଜପତିଙ୍କୁ ଭେଟିବ ବିଜେପି, ସମୀର କହିଲେ- ହାଇକୋର୍ଟ ନିର୍ଦ୍ଦେଶ ପରେ ବି ଏପର୍ଯ୍ୟନ୍ତ କମିଟି ଗଠନ ହୋଇନି

ଭୁବନେଶ୍ଵର: ରତ୍ନଭଣ୍ଡାର ଖୋଲିବା ଦାବି ଦିନକୁ ଦିନ ଜୋର ଧରିବାରେ ଲାଗିଛି। ହାଇକୋର୍ଟରେ ମଧ୍ୟ ମାମଲା ଚାଲିଥିଲା। ହାଇକୋର୍ଟ ରତ୍ନ ଭଣ୍ଡାର ଖୋଲିବା ପାଇଁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ। ଏହି କ୍ରମରେ ବିଜେପି ଗଜପତି ମହାରାଜଙ୍କୁ ଭେଟିବ ବୋଲି ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ପରେ ବି ଏପର୍ଯ୍ୟନ୍ତ କମିଟି ଗଠନ କାହିଁକି ହୋଇନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ବିଜେପି ପ୍ରଶ୍ନ କରିଛି ଯେ, ଶ୍ରୀ ମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ ତାରିଖରେ ରିଜଲ୍ୟୁସନ କରି ସରକାର ଓ ହାଇକୋର୍ଟଙ୍କୁ ଅବଗତ କରିଥିଲେ ଯେ ରତ୍ନ ଭଣ୍ଡାର ଖୋଲିବା ଲାଗି କମିଟି ଗଠନ କରାଯିବ। କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ କିନ୍ତୁ କାହିଁକି ଏ ଯାଏଁ କମିଟି ହୋଇନି।

ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜି.ବି. ପଟ୍ଟନାୟକ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି। ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ୱନ୍ଦ୍ଵ ଦୂର କରାଯାଉ ବୋଲି ବିଜେପି ଚହେଁ ବୋଲି ସମୀର ମହାନ୍ତି କହିଛନ୍ତି। ୪୫ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନି କି କୌଣସି ଇନଭେଣ୍ଟରି କରାଯାଇନାହିଁ। ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ୱନ୍ଦ୍ଵ ଦୂର କରାଯାଉ। ଗଜପତି ମଧ୍ୟ ବିଭିନ୍ନ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ କହୁଛନ୍ତି। ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ବିଜେପି ଭେଟି ଏ ସମ୍ପର୍କରେ ଅବଗତ କରିବ ବୋଲି କହିଛନ୍ତି ସମୀର ମହାନ୍ତି।

ହାଇକୋର୍ଟର ବରିଷ୍ଠ ଆଇଜନୀବୀ ପୀତାମ୍ବର ଆଚାର୍ଯ୍ୟ ରତ୍ନଭଣ୍ଡାର ପ୍ରସଙ୍ଗରେ ଏଏସଆଇ ପକ୍ଷରୁ ଦାଖଲ ଯାଞ୍ଚ ରିପୋର୍ଟ ଉପରେ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଲ୍ଲେଖନୀୟ ଅଗଷ୍ଟ ୭ ତାରିଖରେ (ଏଏସଆଇ) ପକ୍ଷରୁ ସୋମବାର ହାଇକୋର୍ଟ ପକ୍ଷରୁ ସତ୍ୟପାଠ ଦାଖଲ ହୋଥିଲା। ଏଥିରେ ଏଏସଆଇ ଉଲ୍ଲେଖ କରିଥିଲା ଯେ, ୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା। ସେତେବେଳେ ଛାତରୁ ପାଣି ଗଳୁଥିଲା, ଚଟାଣରେ ପଥର ପଡ଼ିଥିଲା। କାନ୍ଥ ଭିତରୁ ଏକ ଫମ୍ପସା ଶବ୍ଦ ମଧ୍ୟ ଶୁଭୁଥିଲା। ୫ ବର୍ଷ ବିତି ଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନି। ତେଣୁ ରତ୍ନଭଣ୍ଡାରର ମରାମତି ଆବଶ୍ୟକ ରହିଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରିବୁ ବୋଲି ଏଏସଆଇ କହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ