ଜିଲ୍ଲା ସ୍ତରୀୟ ଦ୍ଵି ଦିବସୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ


ଝାରସୁଗୁଡା ୧୭/୧୦ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ହାଇସ୍କୁଲ ଖେଳ ପଡ଼ିଆରେ ଆଜି ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଦ୍ଵି ଦିବସୀୟ ଦୌଡ଼କୁଦ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇ ଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ଝାରସୁଗୁଡା ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରିବା ସହ କ୍ରୀଡ଼ା ପତାକା ଉତ୍ତୋଳନ କରି ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ । ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ ଓ ସମିତି ସଭ୍ୟା ବବିତା ମହାପାତ୍ର ଏବଂ ଅତାବିରା ସରପଞ୍ଚ ସଞ୍ଜିତ ପଧାନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଭିକମପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ସେହିପରି ଝାରସୁଗୁଡା ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ବିମଳ ତାଣ୍ଡି କ୍ରୀଡ଼ା ବାର୍ଷିକ ବିବରଣୀ ପଠନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ପାଞ୍ଚଟି ବ୍ଲକ
ଝାରସୁଗୁଡା ,ଲଖନପୁର, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକ ସ୍ତରରୁ ମନୋନୀତ ୨୫ ଜଣ ଲେଖାଏଁ ହିସାବରେ ମୋଟ ୧୨୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହାକୁ ପରିଚାଳନା କରିବା ପାଇଁ ଜିଲ୍ଲାର ୬୦ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ଶାରୀରିକ ଶିକ୍ଷକ ରବି ନାରାୟଣ ପୂଜାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଶୋକ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଭିକମପାଲି ହାଇସ୍କୁଲର ଶାରୀରିକ ଶିକ୍ଷକ ନିତ୍ୟାନନ୍ଦ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଥିଲା । ଏଥିରେ ଭିକମପାଲି ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ସହକର୍ମୀ ଏବଂ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଆସନ୍ତା କାଲି ଅର୍ଥାତ ବୁଧବାର ଦିନ ଏହି ପ୍ରତିଯୋଗିତା ଉଦଯାପିତ ହେବ ବୋଲି ଶାରୀରିକ ଶିକ୍ଷକ ଶ୍ରୀ ନାଏକ ସୂଚନା ଦେଇଛନ୍ତି ।