ସ୍ଵାଧୀନତା ପରେ ଭାରତର ଅର୍ଥନୈତିକ ପ୍ରଗତି ହୋଇଛି


ବୀରମହାରାଜପୁର : ଭାରତ ସ୍ୱାଧୀନ ହେବା ସମୟରେ ଏହାର ଅର୍ଥନୈତିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା I ତେବେ ଭାରତୀୟ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆମ ଦେଶ ଅର୍ଥନୈତିକ କ୍ଷେତ୍ରରେ ଯଥେଷ୍ଟ ପ୍ରଗତି କରିଛି I ଯେଉଁ ଦେଶ ଦିନେ ଭାତମୁଠେ ପାଇଁ ବିଶ୍ୱ ସମୁଦାୟ ପାଖରେ ହାତପତଉ ଥିଲା ସେହିଦେଶ ଆଜି ସମଗ୍ର ବିଶ୍ୱକୁ ଖାଦ୍ୟ ରପ୍ତାନି କରୁଛି I ସାମ୍ପ୍ରତି ଆମଦେଶ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହିତ ଅନେକ ଦେଶକୁ ଅସ୍ତ୍ର ବିକ୍ରୟ କଲାଣି I ଆଗାମୀ ଦୁଇ ଦଶନ୍ଧି ଭିତରେ ଭାରତ ବିଶ୍ୱର ପ୍ରମୁଖ ଅସ୍ତ୍ର ଉତ୍ପାଦନକାରୀ ଦେଶ ଭାବରେ ପରିଗଣିତ ହେବ I ଦେଶର ପ୍ରଗତିରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ସ୍ୱାଗତ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ଯଜ୍ଞେଶ୍ଵର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ଅଧ୍ୟାପକ ବିଜୟ କୁମାର ପୁରୋହିତ ଓ ଅଧ୍ୟାପକ ସତ୍ୟନାରାୟଣ ଦାଶ ସମ୍ମାନିତ ଅତିଥିଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ I ଅଧ୍ୟାପକ ପ୍ରଭାତ ପୁରୋହିତ ସଭା ସଂଯୋଜନା , ଅତିଥି ପରିଚୟ , ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ I ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଚନ୍ଦନ , ଶିବାନନ୍ଦ , ଅମ୍ବରିଷ , ମିଲି , ରୁବି , ବିନିରାଣୀ , ସଂଘମିତ୍ରା , ପିଣ୍ଟୁ , କିନୁ , ଜନନି , ଝିଲି , ପ୍ରିୟତମ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।