ପାଣ୍ଡିଆନ ଏବେ ରାଜନୀତି କରନ୍ତୁ, ଆମର କିଛି ଅସୁବିଧା ନାହିଁ: ମନମୋହନ


ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଗତକାଲି ସ୍ଵେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଛନ୍ତି। ତାଙ୍କର ଭିଆରଏସକୁ କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛନ୍ତି। ଅଚାନକ ପାଣ୍ଡିଆନ ଭିଆରଏସ ନେବା ରାଜ୍ୟ ରାଜନୀତିରେ ଚହଳ ପକାଇଛି। କ୍ୟାବିନେଟ୍ ପାହ୍ୟା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଏବେ ସେ ରାଜନୀତି କରନ୍ତୁ, ସେଥିରେ ଆମର କୌଣସି ଆପତ୍ତି ନାହିଁ।

ସେ କହିଛନ୍ତି, ଚାକିରି ସହ ରାଜନୀତି କରୁଥିବାରୁ ଆମେ ପାଣ୍ଡିଆନଙ୍କୁ ବିରୋଧ କରୁଥିଲୁ। ଆମେ ବ୍ୟକ୍ତିଙ୍କୁ ନୁହେଁ ବ୍ୟବସ୍ଥାକୁ ବିରୋଧ କରିଥିଲୁ। ଚାକିରି ଛାଡ଼ି ସମସ୍ତେ ରାଜନୀତି କରି ପାରିବେ। ତେଣୁ ବର୍ତ୍ତମାନ ପାଣ୍ଡିଆନ ରାଜନୀତି କରନ୍ତୁ। ବିଜେଡି ତାଙ୍କୁ ଦାୟିତ୍ଵ ଦେଉ, ସେଥିରେ ଆମର କିଛି ଅସୁବିଧା ନାହିଁ। ବିଜେପି ନୀତି ଆଦର୍ଶ ଓ ଜନ ଅସନ୍ତୋଷକୁ ନେଇ ଏଥର ନିର୍ବାଚନ ଲଢିବ ବୋଲି ମନମୋହନ ସାମଲ କହିଛନ୍ତି।

ବିଗତ ଦିନରେ ରାଜ୍ୟରେ ଯାହା ଯାହା ଘଟିଲା ତାହା ଓଡ଼ିଶା କି ଦେଶ ପାଇଁ ଶୁଭଙ୍କର ନୁହେଁ। ଅନେକ ଲୋକ ରାଜନୀତିକୁ ଆସିବେ, ରାଜନୀତିରୁ ଯିବେ। ଅତୀତରେ ପ୍ୟାରୀ ବାବୁ ଆସି ବିଜେଡିରେ ସକ୍ରିୟ ହେଲେ, ବିଜୟ ପଟ୍ଟନାୟକ ଏବଂ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ। ଚାକିରି କରି ରାଜନୀତି କରିବାକୁ ଆମେ ବିରୋଧ କରିଥିଲୁ। ତେଣୁ ବିଜେଡି ତାଙ୍କୁ ଦାୟିତ୍ଵ ଦେଲେ ଏବଂ ସେ ରାଜନୀତି କଲେ ଏବେ ଆମର କୌଣସି ଆପତ୍ତି ନାହିଁ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୦ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଭିକେ ପାଣ୍ଡିଆନ ୧୯୭୪ରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ। ଆଇଏଏସ ଅଧିକାରୀ ଭାବେ ଓଡ଼ିଶାର କଳାହାଣ୍ଡିରେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ କଳାହାଣ୍ଡି ଉପଜିଲ୍ଲାପାଳ ଏବଂ ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାମ କରିଥିଲେ। ଏହା ପରେ ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ।ତାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ କରାଯାଇଥିଲା। ୨୦୧୯ରେ ଫାଇଭ ଟି ସଚିବ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିଲେ।