କଳାହାଣ୍ଡି,୨୬/୧୦-ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ ନିଜ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ଓ ତତକ୍ଷଣାତ୍ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ସାରା ରାଜ୍ୟରେ ରାଜନୀତିର ଚର୍ଚ୍ଚା ଜୋର ଧରିଛି ! ଏପରିକି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଖବରକାଗଜରେ ‘ମନ୍ତ୍ରୀ ବଡ଼ ନା ସଚିବ’ ଶୀର୍ଷକ ସଂପାଦକୀୟ ଲେଖି ତାଙ୍କୁ କଟାକ୍ଷ କରିବା ହେଉ କି ବିରୋଧୀ ଦଳର ନେତାଏ ‘ଚାକିରି ଛାଡ଼ି ରାଜନୀତି କରନ୍ତୁ ପାଣ୍ଡିୟାନ’ ବୋଲି ଉସୁକାଇବା ହେଉ ଉଭୟ କଥାକୁ ଆହ୍ବାନ ଭାବେ ଗ୍ରହଣ କରି ଭାରତୀୟ ପ୍ରଶାସନିକ ସେବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଚାକିରି ଜୀବନରେ ନିଜେ ପୂର୍ଣ୍ଣଛେଦ ପକାଇଦେଇଛନ୍ତି ପାଣ୍ଡିୟାନ ! ଏବେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଥିବାବେଳେ ଆଗକୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀ ଦିଆଯିବାର ସମ୍ଭାବନା ରହିଛି ବୋଲି ରାଜନୀତି ବିଶ୍ଲେଷକ ମହଲରେ ଆଲୋଚନା ହେଉଛି ! ଏପରି ପରିସ୍ଥିତିରେ ରାଜନୀତି କରିବାକୁ ପାଣ୍ଡିୟାନଙ୍କ ପାଇଁ ରାସ୍ତା ସଂପୂର୍ଣ୍ଣ ଭାବେ ଖୋଲାରହିଛି ! ତେବେ ପାଣ୍ଡିୟାନ ରାଜନୀତି କରିବାକୁ ମଇଦାନକୁ ଓହ୍ଲାଇଲେ କେଉଁଠୁ ଲଢ଼ିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏଥିରେ ଆଗରେ ରହିଛି କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବିଧାନସଭା ଆସନ ! କାରଣ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଜର ଚାକିରି ଜୀବନ ଆରମ୍ଭ କରିଥିବା ପାଣ୍ଡିୟାନଙ୍କ କାର୍ଯ୍ୟକାଳ ମଧ୍ୟରେ ଧର୍ମଗଡ଼ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ସାଧିତ ହୋଇଥିଲା ! ଏପରିକି ଭବାନୀପାଟଣାରେ ହେଉଥିବା ସାଂସ୍କୃତିକ ମହାକୁମ୍ଭ କଳାହାଣ୍ଡି ଉତ୍ସବକୁ ସେ ଧର୍ମଗଡ଼ ସଂପ୍ରସାରିତ କରି ଧର୍ମଗଡ଼ ଅଞ୍ଚଳବାସୀଙ୍କ ହୃଦୟ କିଣିନେଇଥିଲେ ! ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଫାଇଭ-ଟି ଇନଚାର୍ଜ ହେବା ପର୍ଯ୍ୟନ୍ତ ଧର୍ମଗଡ଼ ଅଞ୍ଚଳ ପ୍ରତି ତାଙ୍କର ଏକ ସ୍ବତନ୍ତ୍ର ଦୃଷ୍ଟିକୋଣ ରହିଆସିଛି ! ସେହିପରି ଧର୍ମଗଡ଼ ଅଞ୍ଚଳବାସୀ ତାଙ୍କୁ ଜଣେ ଆଇଏଏସ୍ ଅଧିକାରୀ ଅପେକ୍ଷା ନିଜଲୋକ ଭଳି ମନେ କରନ୍ତି ! ଏପରିସ୍ଥଳେ ପାଣ୍ଡିୟାନ ପ୍ରତ୍ୟକ୍ଷ ରାଜନୀତି କଲେ ଧର୍ମଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହିଛି ! ଗତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖୀଗୁଡ଼ା, ଜୟପାଟଣା ଗସ୍ତ ସମୟରୁ ଏଇ ପ୍ରସଙ୍ଗ ଚର୍ଚ୍ଚା ହୋଇ ଆସୁଥିବାବେଳେ ସେତେବେଳେ ସେ ଚାକିରିରେ ଥିବା ହେତୁ ତାଙ୍କ ପତ୍ନୀ ତଥା ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କିମ୍ବା ମୁଖ୍ୟମନ୍ତ୍ରୀ ନିଜେ ଧର୍ମଗଡ଼ ଆସନରୁ ଲଢ଼ିବେ ବୋଲି ଆଲୋଚନା ହୋଇଆସୁଥିଲା ! ତେବେ ବର୍ତ୍ତମାନ ପାଣ୍ଡିୟାନ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବା ସମ୍ଭାବନା ଥିବାରୁ ଧର୍ମଗଡ଼ ଆସନ ତାଙ୍କର ପ୍ରଥମ ପସନ୍ଦ ହୋଇପାରେ ବୋଲି କୁହାଯାଉଛି ! ସେହିପରି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିୟମିତ ଆସନ ହିଞ୍ଜିଳି ସହିତ ପଶ୍ଚିମ ଓଡ଼ିଶାରେ ଲଢ଼ିବା ସମ୍ଭାବନା ରହିଛି ! ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପୁରରୁ ପ୍ରାର୍ଥୀ ହୋଇ ଜିତିବା ସହିତ ନବୀନ ପଶ୍ଚିମ ଓଡ଼ିଶାରେ ଦଳୀୟ ନେତୃବୃନ୍ଦଙ୍କୁ ବଳ ଦେଇଥିବାବେଳେ ଏଥର କଳାହାଣ୍ଡିରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ! କଳାହାଣ୍ଡିର ଏକ ଗୁରୁତ୍ବପୂର୍ଣ୍ଣ ତଥା ଅଂସରକ୍ଷିତ ନର୍ଲା ବିଧାନସଭା ଆସନରେ ସେ ଲଢ଼ିବା ସମ୍ଭାବନା ଥିବା ଚର୍ଚ୍ଚା ହେଉଥିବାବେଳେ ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ବକ୍ତବ୍ୟ ଏଇ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ! ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନର୍ଲାରେ ଲଢ଼ିଲେ ସେ ଖୁସି ହେବେ ବୋଲି ବିଧାୟକ ଶ୍ରୀ ସିଂହ କହିବା କିଛିଦିନ ତଳେ କହିବା ଜିଲ୍ଲା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା ! ଅପରପକ୍ଷରେ ନିର୍ବାଚନ ଲଢ଼ିବା ଦିନଠାରୁ ଅପରାଜିତ ରହିଆସିଥିବା ନବୀନ ଯଦି ନର୍ଲାରୁ ପ୍ରାର୍ଥୀ ହେବେ ତାଙ୍କୁ ଟକ୍କର ଦେବାକୁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ମଇଦାନକୁ ଓହ୍ଲାଇବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି !