Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୪ରେ ହେବ ନିଆରା ନିର୍ବାଚନ, ମେଣ୍ଟ କରିବେ କି ବିଜେଡି-ବିଜେପି !

ଭୁବନେଶ୍ଵର: ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ଦେହାନ୍ତ ଘଟିବା ପରେ ଓଡ଼ିଶା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ଆଉ ତାଙ୍କ ପରଲୋକ ଓଡ଼ିଶା ରାଜନୀତିରେ କଡ଼ ଲେଉଟାଇବା ଆରମ୍ଭ କରିଥିଲା। ୧୯୯୭ରେ ଜନତା ଦଳ ବିଭାଜନ ଘଟିଥିଲା। ଆଉ ଓଡ଼ିଶାରେ ବିଜୁ ଜନତା ଦଳ(ବିଜେଡି) ଭାବେ ନୂତନ ପାର୍ଟିର ଜନ୍ମ ନେଇଥିଲା। ଏହକୁ ପ୍ରତିଷ୍ଠା କରିଥିଲେ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ତଥା ପୂର୍ବତନ କେନ୍ଦ୍ର ଖଣି ମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ନବୀନଙ୍କୁ ଓଡ଼ିଶା ରାଜନୀତିରେ ପ୍ରବେଶ କରାଇବାରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ତଥା ବଡ଼ ଭାଇର ଭୂମିକା ଗ୍ରହଣ କରିଥିଲା ଭାରତୀୟ ଜନତା ପାର୍ଟି(ବିଜେପି)। ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଘନିଷ୍ଠ ଥିଲେ। ତେଣୁ କେନ୍ଦ୍ରୀୟ ଓ ରାଜ୍ୟ ବିଜେପି ନେତାଙ୍କ ସହଯୋଗରେ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ନୂତନ ଇନିଂସ ଆରମ୍ଭ କରିଥିଲେ। ବୋଧହୁଏ ସେହି ସମୟରେ ବିଜେପି ସହ ନିବିଡ଼ ସଂପର୍କର ଚିତ୍ର ବର୍ତ୍ତମାନ ସାଂପ୍ରତିକ ରାଜନୀତିରେ ଦୃଶ୍ୟମାନ ହେବାରେ ଲାଗିଛି।
ଜନତା ଦଳର ବିଭାଜନ ପରେ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ଏହା ପରେ ଦୁଇ ଦଳ ମିଶି ତିନି ଥର ଲୋକସଭା ଓ ବିଧାନସଭା ନିର୍ବାଚନ ଲଢିଥିଲେ। ତେବେ ୨୦୦୮ରେ କନ୍ଧମାଳ ଦଙ୍ଗା ପରେ ବିଜେପି ଓ ବିଜେଡି ମେଣ୍ଟ ଭାଙ୍ଗିଥିଲା। ଏହା ପରଠୁ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢୁଥିଲେ ହେଁ ନିଜ ମଧ୍ୟରେ ଥିବା ମଧୁର ସଂପର୍କ ଭାଙ୍ଗି ନାହାନ୍ତି। ବୋଧହୁଏ ବର୍ତ୍ତମାନ ଓଡ଼ିଶା ରାଜନୀତିରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ଏବେଠୁ ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତିରେ ଲାଗି ଗଲେଣି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହେଉଛି ବିଜେପି ଏବଂ ବିରୋଧୀ ଦଳର ପ୍ରମୁଖ କାମ ଶାସକ ଦଳକୁ ରାଜ୍ୟର ପ୍ରସଙ୍ଗ ଓ ବ୍ୟବସ୍ଥାକୁ ପ୍ରଶ୍ନ କରିବା ଏବଂ ହରଡ଼ଘଣାରେ ପକାଇବା। କିନ୍ତୁ ଅନ୍ୟ ରାଜ୍ୟରେ ବିଶେଷ କରି ବିଜେପି ଯେଉଁଠି ବିରୋଧୀ ଦଳ ଆସନରେ ରହିଛି, ସେଠାରେ ପାର୍ଟିର ଆଭିମୁଖ୍ୟ ଯେମିତି ରହିଥାଏ, ତାହା ଓଡ଼ିଶାରେ ଦେଖିବାକୁ ମିଳୁନି। ଏହାର ସବୁଠୁ ବଡ଼ କାରଣ ବିଜେପି ଓ ବିଜେଡି ମଧ୍ୟରେ ଥିବା ଭିତିରିଆ ନିବିଡ଼ ସଂପର୍କ। ତେଣୁ ତେଣୁ ଆଗାମୀ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
ଆଗାମୀ ସାଧାରଣ ନିର୍ବାଚନରେ ଯଦି କେଉଁ ଦଳ ସବୁଠୁ ଅଧିକ ଆଭ୍ୟନ୍ତରୀଣ କନ୍ଦଳର ଶିକାର ହେବ ତାହା ହେଉଛି ବିଜେଡି। ରାଜ୍ୟର ବହୁ ଆସନରେ ବିଜେଡିର ଏକାଧିକ ପ୍ରାର୍ଥୀ ଅଛନ୍ତି। ଯେଉଁମାନଙ୍କର ନିଜର ଜନାଧାର ମଧ୍ୟ ରହିଛି। ତେଣୁ ସେମାନେ ଟିକେଟ୍ ପାଇଁ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିଛନ୍ତି। ଏମିତି ସ୍ଥିତିରେ ଜଣକୁ ଟିକେଟ୍ ଦେଲେ ଅନ୍ୟ ଜଣେ ବିଦ୍ରୋହ କରିବା ସୁନିଶ୍ଚିତ। ଯାହାର ଚିତ୍ର ଆମେ ଗଞ୍ଜାମ ଜିଲ୍ଲାର କିଛି ଆସନରେ ଦେଖିବାକୁ ପାଇ ସାରିଛନ୍ତି। ଏଥର ବିଜେଡିରୁ ଟିକେଟ୍ ନ ପାଇଲେ ଆଶାୟୀ ବିଜେପିରେ ସାମିଲ ହେବାର ବିକଳ୍ପ ରଖିଛନ୍ତି। ଯାହାର ଫାଇଦା ବିଜେପିକୁ ମିଳିପାରେ। କିନ୍ତୁ ଏହାର ଫାଇଦା ବୋଧହୁଏ ବିଜେପି ଉଠାଇବାକୁ ଚାହିଁବ ନାହିଁ କି ବିଜେଡି ବିରୋଧରେ ନିଜର ସ୍ଵର ଶାଣିତ କରିବ ନାହିଁ। ଏହାର ସବୁଠୁ ବଡ଼ କାରଣ ବିଜେଡିର ନୀତି ନିର୍ଦ୍ଧାରିତ ଓ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କ କେନ୍ଦ୍ରରେ ବିଜେପିର ହାଇକମାଣ୍ଡଙ୍କ ସହ ମଧୁର ସଂପର୍କ ରହିଛି। ସେମିତିରେ ବିଜେଡି ଜାତୀୟ ସ୍ତର ରାଜନୀତିରେ ସମଦୂରତା କଥା କହୁଥିଲେ ହେଁ ବିଜେପିକୁ ଅକୁଣ୍ଠ ସମର୍ଥନ ଦେଇ ଆସିଛି। ସେ ଲୋକସଭା ହେଉ କି ରାଜ୍ୟସଭା ସବୁଠି ଗୁରୁତ୍ଵପୂର୍ଣ୍ଣ ବିଧେୟକ ପାରିତ ହେଉ କି ରାଷ୍ଟ୍ରପତି ନିର୍ବାଚନ ହେଉ ବିଜେଡି ସର୍ବଦା ବିଜେପିର ସାନ ଭାଇ ହିସାବରେ ଛିଡ଼ା ହୋଇ ଆସିଛି। ତେଣୁ କେନ୍ଦ୍ରୀୟ ବିଜେପି ଓଡ଼ିଶାରେ ବିଜେଡିକୁ ହରାଇବାକୁ ଆନ୍ତରିକତାର ସହ ଚାହୁଁ ନାହାନ୍ତି। ତେଣୁ ରାଜ୍ୟ ବିଜେପିର ଅବସ୍ଥା ନ କହିବା ଭଲ।
ସବୁଠୁ ବଡ଼ ପ୍ରସଙ୍ଗ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵାସ୍ଥ୍ୟଗତ କାରଣ ଯୋଗୁଁ ପୂର୍ବପରି ଆଉ ସକ୍ରିୟ ରହି ପାରୁ ନାହାନ୍ତି। ସେ ଜିଲ୍ଲା ପରେ ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରଚାର କରିବା ମୁସ୍କିଲ। ତେଣୁ ସେ ନିଜର ଭରସାଯୋଗ୍ୟ ଏବଂ ବ୍ୟକ୍ତିଗତ ସଚିବ, ଯିଏ ବର୍ତ୍ତମାନ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଏହି ଦାୟିତ୍ଵ ନ୍ୟସ୍ତ କରିଛନ୍ତି। ନବୀନଙ୍କ ଚେହେରା ବିନା ବିଜେଡିକୁ ନିର୍ବାଚନ ଜିତିବା ମୁସ୍କିଲ। ଏମିତି ସମୟରେ ଯେଉଁ ଫାଇଦା ବିଜେପି ଉଠାଇବା କଥା ତାହା ଉଠାଇ ପାରୁନି। ଏହାର କାରଣ ଦୁଇ ଦଳର ଶୀର୍ଷ ନେତୃତ୍ଵଙ୍କ ମଧ୍ୟରେ ଥିବା ସୁ ସଂପର୍କ। ଦୁଇ ଦଳ କେବେ ଚାହିଁବେ ନାହିଁ ଯେ, ରାଜ୍ୟର ସାଂପ୍ରତିକ ରାଜନୈତିକ ଫାଇଦା କଂଗ୍ରେସ ଉଠାଉ। ତେଣୁ ଦୁଇ ଦଶନ୍ଧି ତଳର ପୁରୁଣା ସଂପର୍କକୁ ପୁଣି ଥରେ ଆନୁଷ୍ଠାନିକ ଭାବେ ଯୋଡ଼ି ପାରନ୍ତି ବିଜେପି ଓ ବିଜେଡି।
ଏଥର ୨୦୨୪ ନିର୍ବାଚନରେ ଦୁଇ ଦଳ ମେଣ୍ଟ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଏମିତି ହେଲେ ଦଳୀୟ ଆଭ୍ୟନ୍ତରୀଣ କନ୍ଦଳକୁ ପ୍ରଶମିତ କରାଯାଇପାରିବ ଏବଂ ବିଜେପି ଓ ବିଜେଡି ମଧ୍ୟରେ ନେତାଙ୍କ ଦଳ ଡିଆଁ ପରି ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିବ। କାରଣ ମେଣ୍ଟ ହେଲେ କର୍ମୀ ବା ନେତା ଦଳଡିଆଁ କଲେ ମଧ୍ୟ ବିଜେପି ଓ ବିଜେଡିକୁ ଏହାର ବିଶେଷ ଫରକ ପଡ଼ିବ ନାହିଁ। ନବୀନ ପଟ୍ଟନାୟକଙ୍କ ରାଜନୀତି ମଇଦାନରେ ଅନୁପସ୍ଥିତ ରହିବା ହିଁ ବିଜେପି ଓ ବିଜେଡିକୁ ମେଣ୍ଟ କରିବାକୁ ଅଧିକ ଖୋରାକ ଯୋଗାଇବ। ନବୀନ ମଇଦାନକୁ ନ ଓହ୍ଲାଇଲେ ବିଜେଡି ଯେଉଁ ଭଳି ଗତ ନିର୍ବାଚନ ଜିତି ଆସିଛି ସେମିତି ଆସନ ଜିତିବା ମୁସ୍କିଲ ହୋଇଯିବ। ଅନ୍ୟପଟେ ବିଜେପି ମଧ୍ୟ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବ ନାହିଁ। ଏମିତି ସ୍ଥିତିରେ ଦୁଇ ଦଳ ମେଣ୍ଟ କରି ସରକାର ଗଠନ କରିବାକୁ ଶ୍ରେୟ ମନେ କରିବେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ସେଥିପାଇଁ କେନ୍ଦ୍ରରେ ନେତୃତ୍ଵାଧୀନ ବିଜେପି ସରକାର ବିଜେଡି ପ୍ରତି ଅଦ୍ୟାବଧି କଠୋର ଆଭିମୁଖ୍ୟ ଆପଣେଇ ନାହିଁ।
ସୂଚନାଯୋଗ୍ୟ, ୨୦୦୮ରେ ମେଣ୍ଟ ଭାଙ୍ଗିବା ପରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଏକାକୀ ନିର୍ବାଚନ ଲଢି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢି ଆସିଛି। ଆଉ ବିଜେପି ମିଳୁଥିବା ଜନ ସମର୍ଥନରେ ଫାଇଦା ନ ଉଠାଇ ପାରି ମୁଖ୍ୟ ବିରୋଧୀ ଦଳ ଆସନରେ ସନ୍ତୁଷ୍ଟ ରହିଛି।