ଜୀବନ ପ୍ରତି ବିପଦ ହୋଇପାରେ କଳାଡ଼ବାର ଖାଦ୍ୟ

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଭିତରେ ଲୋକଙ୍କ ପାଖରେ ସମୟର ଘୋର ଅଭାବ। ତେଣୁ ସମୟ ବଞ୍ଚାଇବା ପାଇଁ ସର୍ଟକଟ୍ ରାସ୍ତାକୁ ନିଜ ଦୈନନ୍ଦିନ ଜୀବନରେ ଅଭ୍ୟାସରେ କରି ସାରିଲେଣି ଲୋକେ। ଦିନକୁ ଦିନ ସମୟ ଅନୁସାରେ ଲୋକମାନଙ୍କର ନିୟମିତ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଦେଖାଗଲାଣି । ଖାଦ୍ୟ ତିଆରି କରିବା ଅପେକ୍ଷା ଅନଲାଇନ୍ ଆପରୁ ଅର୍ଡ଼ର କରି ଖାଇବାକୁ ପସନ୍ଦ କରୁଛନ୍ତି। କିଛି ଟଙ୍କା ଦେଇଦେଲେ ଘରକୁ ଡେଲିଭରି ବୟ ଆସି ଖାଦ୍ୟ ପୁଡ଼ିଆ ଦେଇ ଚାଲିଯିବେ । ପଲିଥିନ୍ ଭିତରେ ଗୋଟିଏ କଳାଡ଼ବାରେ ସୁଆଦିଆ ଗରମ ଗରମ ଖାଦ୍ୟ ବାହାର କରି ଆମେ ବଡ଼ ମଜାରେ ଖାଇଥାଉ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଆପଣ ଖାଦ୍ୟ ନୁହେଁ ଜହର ଖାଉଛନ୍ତି ? ଆଜ୍ଞା ହଁ , ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ରୂପେ ସତ ।
ସାଧାରଣତଃ ଖାଦ୍ୟ ପ୍ୟାକେଜିଂ ପାଇଁ ବ୍ୟବହୃତ ପ୍ଲାଷ୍ଟିକ୍ ବକ୍ସଗୁଡ଼ିକ ପ୍ଲାଷ୍ଟିକ୍ ରେଜିନ୍ରେ କାର୍ବନ କଳା ରଙ୍ଗ ମିଶ୍ରଣ କରି ତିଆରି କରାଯାଏ । ଏହି ରଙ୍ଗ ପ୍ଲାଷ୍ଟିକକୁ କଳା ରଙ୍ଗ ଦେଇଥାଏ । ତେଣୁ ଯେତେବେଳେ ଆମେ ଏହି ପାତ୍ରରେ ଖାଦ୍ୟ ଖାଉ, ସେତେବେଳେ ଏଥିରେ ଥିବା କିଛି ରାସାୟନିକ ପଦାର୍ଥ ଖାଦ୍ୟ ସହିତ ମିଶିଯାଏ ଏବଂ ଶରୀରରେ ପ୍ରବେଶ କରେ, ଯାହା ଶରୀର ପାଇଁ ଏକଦମ କ୍ଷତିକାରକ ହୋଇଥାଏ ।
ଏକ ଗବେଷଣାରୁ ଜଣାପଡିଛି ଯେ, ପ୍ଲାଷ୍ଟିକରେ ଥିବା କାର୍ବନର କଳା ରଙ୍ଗ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହି ପ୍ଲାଷ୍ଟିକ୍ ଡବା ରେ ଅତ୍ୟଧିକ ଗରମ ଖାଦ୍ୟ ସଂରକ୍ଷଣ କରିବା କିମ୍ବା ମାଇକ୍ରୋୱେଭ୍ରେ ଗରମ କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ିଯାଏ । କାର୍ବନ କଳା ପ୍ଲାଷ୍ଟିକରେ ଥିବା ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନକୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର ଦ୍ୱାରା କର୍କଟ ରୋଗ ସୃଷ୍ଟିକାରୀ ବୋଲି କୁହାଯାଇଛି, ଯାହା କର୍କଟ ରୋଗର ବିପଦ ସୃଷ୍ଟି କରେ । କେବଳ ଏତିକି ନୁହେଁ ଏହା ଶ୍ୱାସକ୍ରିୟା ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।
କଳା ପ୍ଲାଷ୍ଟିକରେ ବିଭିନ୍ନ କ୍ଷତିକାରକ ରାସାୟନିକ ପଦାର୍ଥ ମାନ ଥାଏ । ଏହି ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥ ମଧ୍ୟରୁ ଗୋଟିଏ ହେଉଛି “ଏଣ୍ଡୋକ୍ରାଇନ୍ ଡିସପ୍ରେଟିଂ” ଯାହା ମଣିଷ ଶରୀରକୁ କ୍ଷତି ପହଞ୍ଚାଇଥାଏ । କାରଣ ଏହା ଆମ ଶରୀରରେ ପ୍ରବେଶ କରି ହରମୋନ୍ ସନ୍ତୁଳନକୁ ବ୍ୟାଘାତ କରେ, ହରମୋନକୁ ଖରାପ କରିଥାଏ । ତେଣୁ ଦୀର୍ଘ ସମୟ ଧରି ଏହାକୁ ବ୍ୟବହାର କଲେ ଏଥିରେ ଥିବା ରାସାୟନିକ ପଦାର୍ଥ କର୍କଟ ରୋଗ ସୃଷ୍ଟି କରିପାରେ ।