କାନପୁର ଅଶୀନପୁନି , ମାହେଶ୍ବରୀ ଙ୍କ ମହାଖଳା ପୂଜା ଯାତ୍ରା ସମ୍ପନ୍ନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କାନପୁର ଠାରେ ମା’ ମାହେଶ୍ୱରୀ ଙ୍କ ମହାଖଳା ପୂଜା ସମ୍ପନ୍ନ ହୋଇଛି । ପ୍ରତିବର୍ଷ କୁମାର ପୂର୍ଣ୍ଣିମା ରେ ମା ମାହେଶ୍ୱରୀ ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଦିନ ହୋଇଥାଏ ମା ମାହେଶ୍ୱରୀ ଙ୍କ ମହାଖଳା ପୂଜା । ରାଜ ରାଜୁଡା ଅମଳରୁ ସୁବର୍ଣ୍ଣପୁର ରେ ଖମ୍ବେଶ୍ୱରୀ ଦେବୀ ଲୋକଦେବୀରୁ ଇଷ୍ଟଦେବୀ ଭାବରେ ପୂଜିତ। ତେବେ କାନପୁର ସ୍ଥିତ ମା ମାହେଶ୍ୱରୀ ପୀଠ ଏହି କ୍ରମରେ ରହିଛି ବେଶ ପ୍ରସିଦ୍ଧି । ବହୁ ବର୍ଷରୁ ପୂଜିତ ହୋଇ ଆସୁଛନ୍ତି ପଞ୍ଚଦେବୀ ଯଥା- ପରମେଶ୍ବରୀ , ନାରାୟଣୀ , ଚାମୁଣ୍ଡା , ନରଘଣ୍ଟା ଓ ଖମ୍ବେଶ୍ୱରୀ । ଆଉ ପ୍ରତି ବର୍ଷ ଏଠାରେ ଆୟୋଜିତ ହୋଇଥାଏ ମହାଖଳା ପୂଜା । ମହାଖଳା ପୂଜାର ରହିଛି ଏକ ସ୍ବତନ୍ତ୍ର ମହତ୍ବ । ଏହି ପୂଜା ରେ ହାଣ୍ଡି ହାଣ୍ଡି ଅରୁଆ ଚାଉଳ ସହ ମନ୍ଦାର ଫୁଲ , ପଦ୍ମଫୁଲ ଲାଗୁଥିବା ବେଳେ ୩୨ ଶହ ଯୋଡା ବେଲପତ୍ର ଲାଗିଥାଏ । ପୂଜା ତ୍ରୀକୋଣରୁ ଆରମ୍ଭ ହୋଇ ଷଟକୋଣ ଅଷ୍ଟକୋଣରୁ ଯାଇ ବତିଶିକୋଣରେ ସରିଥାଏ । ପ୍ରତ୍ୟେକ ପୂଜା ମଧ୍ୟରେ ବୀଜମନ୍ତ୍ର ଓଁ ସ୍ଥାପନ କରାଯାଏ । ପୂଜାରେ ଲାଗିଥାଏ ମାଠିଆ ମାଠିଆ ଦହି ସହ ଦହନା। ପୂଜା ମଣ୍ଡପ ରେ ଶୋଭା ପାଆନ୍ତି ଆଲମ ଓ ଛତିଛତ୍ର । ଧଳା ଛତ୍ର ପରମେଶ୍ବରୀଙ୍କ ପ୍ରତୀକ ହୋଇଥିବା ବେଳେ କଳା ଛତ୍ର ମା ଖମ୍ବେଶ୍ଵରୀ ଭାବେ ପୂଜା ପାଆନ୍ତି । ଆଲମରେ ରୂପରେ ମା ନରଘଣ୍ଟା ପୂଜା ପାଇଥାନ୍ତି । ଏହି ସମୟରେ ପଞ୍ଚବାଦ୍ୟ ରୁ ବାହାରିଥାଏ ଷୋହଳ ଭରଣି ବାଦ୍ୟ । ଏହି ଯାତ୍ରା ର ଆଉ ଏକ ବିଶେଷତ୍ଵ ହେଲା ବାଡିଖେଳ ବା ସାମରିକ କଳା । ମା ମାହେଶ୍ୱରୀ ଗମ୍ଭିରାରୁ ବାହାରି ଦେମୁଳକୁ ଯିବାବେଳେ ମାଙ୍କ ଆଗେ ଆଗେ ବିଭିନ୍ନ ଗାଁ ରୁ ଆସିଥିବା ବାଡିଦଳ ସବୁ ସାମରିକ କଳା ପ୍ରଦର୍ଶନ କରି ଯାଇଥାନ୍ତି । ବର୍ଷକୁ ତିନିଦିନ ପାଇଁ ହେଉଥିବା ଉକ୍ତ ଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୁଅନ୍ତି । ବିଶେଷତଃ ରାତ୍ରୀକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଲୋକସଜ୍ଜା ସହିତ ଶାନ୍ତିଶୃଙ୍ଖଳା ସହ ଦର୍ଶକଙ୍କୁ ସାରା ରାତି ବାନ୍ଧି ରଖିଥାଏ ।