ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଜଣେ ପୋଲିସ ଅଧିକାରୀ ଅସହାୟ ମାନଙ୍କୁ ସହଯୋଗର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି । ବୀରମହାରାଜ ପୁର ବ୍ଲକ ବାଗବର ପଞ୍ଚାୟତର ଅନ୍ତର୍ଗତ ଷଣ୍ଢା ଗ୍ରାମର ଦୁଃଖିଶ୍ୟାମ ବାରିକ (୩୦) ଛୋଟ ବେଳରୁ ପୋଲିଓରେ ଆକ୍ରାନ୍ତ ହୋଇ ବାମଗୋଡ ଅଣ୍ଟା ପାଖରୁ କଟାଯିବା ଫଳରେ ଦିବ୍ୟାଙ୍ଗ ଅବସ୍ଥାରେ ଜୀବନ ବିତାଉଛନ୍ତି । ସେହିପରି ଉକ୍ତ ଗ୍ରାମର କେଉଟସାହି ସ୍ଥିତ ବଳରାମ ଦେହୁରୀଙ୍କ ୨୦ ବର୍ଷୀୟା ଝିଅ ପୂର୍ଣ୍ଣବାସୀ ଦେହୁରୀ (ଗୌରୀ) ଦୀର୍ଘ ଆଠମାସ ହେଲା କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ କଟକ ସିଆଇଡି ଇନ୍ସପେକ୍ଟର ତପନ କୁମାର ନାୟକ କୌଣସି କାର୍ଯ୍ୟ ପାଇଁ ଉକ୍ତ ଅଞ୍ଚଳ ରାସ୍ତାଦେଇ ଆସୁଥିବା ବେଳେ ଖବର ପାଇ ଉଭୟ ଗରିବ ପରିବାର ନିକଟକୁ ଯାଇ ଦୁଃଖିଶ୍ୟାମ ଓ ଗୌରୀଙ୍କୁ ସାକ୍ଷାତ କରିଥିଲେ । ଇନ୍ସପେକ୍ଟର ଶ୍ରୀ ନାୟକ ସେମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଗକୁ ମଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ବୃଦ୍ଧବୃଦ୍ଧା , ଛୋଟ ଶିଶୁ ଓ ମହିଳା ମାନଙ୍କର ଭଲମନ୍ଦ ବୁଝି ବେଶ୍ କିଛି ସମୟ ବିତାଇଥିଲେ । ସିଆଇଡି ଅଧିକାରୀଙ୍କ ଏଭଳି ସମାଜସେବା କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରୁଛନ୍ତି ।
ଅସହାୟ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ପୋଲିସ ଅଧିକାରୀ
