ଗୋପାଳପୁର,୩୧/୧୦ ଆସନ୍ତା କେଇ ମାସ ମଧ୍ୟରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ର ରାଜନୀତି ପାଣିପାଗ ରେ ବର୍ତ୍ତମାନ ସୁଦ୍ଧା ଉଷ୍ମତା ଦେଖିବାକୁ ମିଳିନି। ଗୋଟେ ପଟେ ଶାସକ ବିଜେଡି ଦଳ ପକ୍ଷରୁ ଗୋପାଳପୁର ରେ କାହାକୁ ଦଳୀୟ ଟିକଟ ଦେଇ ପ୍ରାର୍ଥୀ କରିବ ତାହା ଆଜି ଯାଏଁ ଠିକ ହୋଇ ପାରିନଥିବା ବେଳେ କେବଳ ଇଏ ହେବ ସିଏ ହେବ ବୋଲି ଆଲୋଚନା ଚାଲୁଅଛି। ଅନ୍ୟ ପଟେ ବିଜେପି ଦଳ ପକ୍ଷରୁ ଆସନ୍ତା ନିର୍ବାଚନରେ ପୁଣି ୩ ଥର ପରାଜିତ ହୋଇଥିବା ବିଭୂତି ଭୂଷଣ ଜେନା ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେବେ ନା ଏଥର ନୂଆଁ ମୁହଁ ସ୍ଥାନ ପାଇବ ତାହା ମଧ୍ୟ ସ୍ଥିର ହୋଇ ପାରିନାହିଁ।ଏହା ସହ ଏଥର କଂଗ୍ରେସ ଦଳ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭ୍ୟ ଶମ୍ଭୁ ପାଣିଗ୍ରାହୀ ଟିକଟ ପାଇବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଗତ ଜାନୁଆରୀ ନବବର୍ଷ ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନମଣ୍ଡଳୀ ସାରା ଶୁଭେଚ୍ଛା ବାର୍ତ୍ତା ର ପୋଷ୍ଟର ହୋର୍ଡିଙ୍ଗ ଲଗାଇ ନିଜର ଉପସ୍ଥିତି ଜାହିର କରିଥିଲେ। ଏଣୁ ଆସନ୍ତା ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଡ଼ ଶମ୍ଭୁ ପାଣିଗ୍ରାହୀ ଟିକଟ ପାଇବେ ବୋଲି ଆଶା ବ୍ୟକ୍ତ ରଖିବା ସହ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ମାନ କରି ଦଳ କୁ ମଜବୁତ କରିବା ସହ ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବିଗତ ୩ ଟି ନିର୍ବାଚନ ୨୦୦୯,୨୦୧୪ ଓ ୨୦୧୯ ରେ ବିଜେଡି ଗୋପାଳପୁର ଆସନ ହାତେଇବା ସହ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଲଗାତର ଭାବେ ୩ ଥର ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପରେ ଦଳ ତାଙ୍କୁ ସମସ୍ତ କାର୍ଯ୍ୟ କଳାପରୁ ଦୂରେଇ ରଖି ଶେଷରେ ୨୦୨୧ ରେ ଜନବିରୋଧୀ ର ଆଖ୍ୟା ଦେଇ ଦଳରୁ ବହିଷ୍କୃତ କରିଥିଲା।ଏହା ପରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ସମସ୍ତ ଦାୟିତ୍ବ ନିଜର ବୋଲି ଘୋଷଣା କରିବା ସହ ନିଜର ରାଜନୈତିକ ସଚିବ ଡ ଗୋପବନ୍ଧୁ ଦାସ ଙ୍କୁ ଗୋପାଳପୁର ର ଦାୟିତ୍ଵ ପ୍ରଦାନ କରିଥିଲେ।ଏହା ମଧ୍ୟରେ ୨ ବର୍ଷ ବିତିଯାଇଥିବା ସହ ଅଳ୍ପ କେଇ ମାସ ପରେ ସାଧାରଣ ନିର୍ବାଚନ ହେବା ନେଇ ନାନା କଳ୍ପନା ଜଳ୍ପନା ପରି ପ୍ରକାଶ ହେଉଥିବା ବେଳେ ଶାସକ ବିଜେଡ଼ି ଦଳ ପକ୍ଷରୁ ଏଠାରେ କିଏ ପ୍ରାର୍ଥୀ ହେବ ତାହା ସ୍ଥିର ହୋଇ ପାରିନାହିଁ। ଦଳୀୟ ଟିକଟ ପାଇବା ପାଇଁ ଅନେକ ଆଶାୟୀ ଲମ୍ବା ଲାଇନ ଲଗାଇ ଥିବା ବେଳେ ଯିଏ ଯେଉଁ ପ୍ରକାରେ କର୍ମୀ ଙ୍କୁ ନିଜ ଆଡକୁ ଆକର୍ଷିତ କରାଇବାରେ ଲାଗିଥିବା ଆଲୋଚନା ହେଉଛି। ଅନ୍ୟ ପଟେ ଗତ କିଛି ଦିନ ହେଲା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁର ରାଜନୀତି ରେ ସକ୍ରିୟ ଭାବେ ଜଡ଼ିତ ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରାଇବା ସହ ନିର୍ବାଚନମଣ୍ଡଳୀ ର ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା, ରକ୍ତଦାନ ଶିବିର ଆୟୋଜନ ସହ ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଆଗାମୀ ସାଧାରଣ ନିର୍ବାଚନ ରେ ବିକ୍ରମ ଗୋପାଳପୁର ରୁ ଦଳୀୟ ଟିକଟ ପାଇ ନିର୍ବାଚନ ଲଢିବେ ବୋଲି ତାଙ୍କ ପାଖ ଲୋକମାନେ କୁହା କୁହି ହେଉଥିବା ଦେଖିବାକୁ ମିଳିଛି। ଯାହା ହେଲେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ପରେ ଗୋପାଳପୁର ର ବିକାଶ ରେ ଧିମେଇ ଯାଇଥିବା ବେଳେ ଏଠି ବିଧାୟକ ପାଣ୍ଠି ସମେତ ସାଂସଦଙ୍କ ପାଣ୍ଠି ମଧ୍ୟ ସଠିକ ଭାବେ ବିନିଯୋଗ ହୋଇ ପାରିନଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି। ଏଣୁ ଆଗାମୀ ଦିନରେ କିଏ କେଉଁ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନ ରେ ଅବତୀର୍ଣ ହେବେ ଏବଂ କେଉଁ ଦଳର ଭାଗରେ ଗୋପାଳପୁର ଆସନ ଯିବ ତାହା ସମୟ ହିଁ କହିବେ ବୋଲି ଜନସାଧାରଣ ମତବ୍ୟକ୍ତ କରିଛନ୍ତି।